କରୋନା ମୃତ୍ୟୁ ସଂଖ୍ୟା ଟପିଲା ୪୦ ହଜାର

ନୂଆଦିଲ୍ଲୀ, ୬।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଲଗାତାର ୮ ଦିନ ଧରି ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାରରୁ ଅଧିକ ରହିଛି। ଏହି ଧାରା ଜାରି ରହିଲେ ଆଉ ଗୋଟିଏ ଦିନ ପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ଛୁଇଁବାର ଆଶଙ୍କା ଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର ସୁଦ୍ଧା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଲକ୍ଷ ୬୪ ହଜାର ୫୩୭ ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୪୦ ହଜାର ୬୯୯ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୬ ହଜାର ୨୮୨ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୯୦୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗୁରୁବାର ସୁଦ୍ଧା ୧୩ ଲକ୍ଷ ୨୮ ହଜାର ୩୩୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୫ ଲକ୍ଷ ୯୫ ହଜାର ୫୦୧ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଦେଶରେ ମୃତ୍ୟୁ ହାର ୨.୦୭ ପ୍ରତିଶତ ରହିଛି। ଅଗଷ୍ଟକ ୫ ସୁଦ୍ଧା ଦେଶରେ ୨ କୋଟି ୨୧ ଲକ୍ଷ ୪୯ ହଜାର ୩୫୧ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ବୁଧବାର ଗୋଟିଏ ଦିନରେ ୬ ଲକ୍ଷ ୬୪ ହଜାର ୯୪୯ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି।

Share