Advertisement

କରୋନାର ମୃତ୍ୟୁ ତାଣ୍ଡବ: ଘଣ୍ଟାଏରେ ନେଉଛି ୨୪୭ ଜଣଙ୍କ ଜୀବନ

ଓ୍ବାଶିଂଟନ, ୫।୮: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। କରୋନାର ମୃତ୍ୟୁ ତାଣ୍ଡବ ଥମିବାର ନାଁ ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରଏଟର୍ସର ସୂଚନା ଅନୁସାରେ କରୋନା ସଂକ୍ରମଣ ଯୋଗୁ ପ୍ରତିଘଣ୍ଟାରେ ୨୪୭ ଜଣଙ୍କ ଜୀବନ ଯାଉଛି। ସେହିପରି ପ୍ରତି ୧୫ ସେକେଣ୍ଡରେ ଜଣଙ୍କର ମୁଣ୍ଡ କରୋନା ନେଉଛି। ଲଗାତାର ପ୍ରତିଦିନ ୫ ହଜାର ୯ ଶହ ଜଣଙ୍କ ମୃତ୍ୟୁ କରୋନା ଯୋଗୁ ଘଟୁଥିବା ରଏଟର୍ସ କହିଛି। ବୁଧବାର ସୁଦ୍ଧା ପୃଥିବୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କୋଟିଏ ୮୭ ଲକ୍ଷ ୧୦ ହଜାର ୪୩୨ ରହିଛି। ସେହିପରି ମୃତକଙ୍କ ସଂଖ୍ୟା ୭ ଲକ୍ଷ ୪ ହଜାର ୪୬୨ରେ ପହଞ୍ଚିଛି। ଇତିମଧ୍ୟରେ କୋଟିଏ ୧୯ ଲକ୍ଷ ୨୭ ହଜାର ୧୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୬ ଲକ୍ଷ ୭୮ ହଜାର ୮୩୨ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ସେମାନଙ୍କ ମଧ୍ୟରୁ ୬ଲକ୍ଷ ୧୩ ହଜାର ୪୯୨ ଜଣଙ୍କଠାରେ ସାଧାରଣ ଲକ୍ଷଣ ପ୍ରକାଶ ପାଇଥିବାବେଳେ ୬୫ ହଜାର ୩୪୦ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଲାଟିନ୍‌ ଆମେରିକାରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏଠାରେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୬ ହଜାର ଲୋକଙ୍କ ମୃତ୍ୟୁ କରୋନା ଯୋଗୁ ଘଟିଛି। ସଂକ୍ରମଣ ତାଲିକାର ପ୍ରଥମ ସ୍ଥାନରେ ଆମେରିକା ଥିବାବେଳେ ଦ୍ୱିତୀୟ ସ୍ଥାନରେ ବ୍ରାଜିଲ୍‌ ଏବଂ ତୃତୀୟ ସ୍ଥାନରେ ଭାରତ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share