କରୋନାର ଦୋହରା ମାଡ଼: ପୁଣି ଲକ୍‌ଡାଉନ୍‌ !

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୯।୯: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଏବେ କେତେକ ଦେଶରେ କରୋନାର ଦୋହରା ମାଡ଼ ଆରମ୍ଭ ହୋଇଛି। ଫଳରେ ପୁଣି ଲକ୍‌ଡାଉନ୍‌ ହେବାର ଆଶଙ୍କା ବଢ଼ିବାରେ ଲାଗିଛି। ଇସ୍ରାଏଲ୍‌ କରୋନା ସଂକ୍ରମଣ ପୁଣି ଫେରିଛି। ଏଠାରେ ଶୁକ୍ରବାରଠାରୁ ୩ ସପ୍ତାହ ଲାଗି ଜାତୀୟ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ପୃଥିବୀର ପ୍ରଥମ ଦେଶ ଭାବେ ଇସ୍ରାଏଲ୍‌ରେ ଦ୍ୱିତୀୟ ଥର ପାଇଁ ଲକ୍‌ଡାଉନ୍‌ ଜାରି କରାଯାଇଛି। ସେହିପରି ବ୍ରିଟେନ୍‌ରେ ପୁଣି କରୋନା ସଂକ୍ରମଣ ଫେରିଛି। ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ମାର୍ଗଦଶିକା ପାଳନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଦେଶରେ ୬ ମାସ ପର୍ଯ୍ୟନ୍ତ କଟକଣା ଲାଗୁ କରିବା ଲାଗି ସେ କହିଛନ୍ତି। କରୋନା ସଂକ୍ରମଣ ଫେରିବା ନେଇ ସ୍ପେନ୍‌ ଏବଂ ଫ୍ରାନ୍ସ୍‌ଠାରୁ ବ୍ରିଟେନ୍‌ ୬ ମାସ ପଛରେ ରହିଥିବା ସେ କହିଛନ୍ତି। ଦେଶରେ କରୋନା ସଂକ୍ରମଣ ପୁଣି ଫେରିଥିବାରୁ ଏଠାରେ ଲକ୍‌ଡାଉନ୍‌ ଘୋଷଣା ହେବାର ଆଶଙ୍କା ସୃଷ୍ଟି ହୋଇଛି। ୟୁରୋପରେ କରୋନା ସଂକ୍ରମଣ ପୁଣି ଫେରିଥିବାରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଗଭୀର ଚିନ୍ତା ବ୍ୟକ୍ତ କରାଯାଇଛି। ୟୁରୋପରେ କରୋନା ସଂକ୍ରମଣ ବିପଦ୍‌ ଜନକ ସ୍ଥିତିରେ ବଢୁଛି ବୋଲି ବିଶ୍ୱାସ୍ବାସ୍ଥ୍ୟ ସଂଗଠନର କ୍ଷେତ୍ରୀୟ ନିର୍ଦ୍ଦେଶକ ହେନ୍ସ୍‌‌ କ୍ଲୁଜ୍‌ କହିଛନ୍ତି। ୟୁରୋପର ୧୦ଟି ଦେଶରେ ନୂଆ କରୋନା ସଂକ୍ରମଣ ଘଟଣାରେ ଗତ ୨ ସପ୍ତାହ ମଧ୍ୟରେ ୧୦ ପ୍ରତିଶତ ବୃଦ୍ଧି ଘଟିଛି। ଇତିମଧ୍ୟରେ ୭ ଦେଶରେ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣା ହୋଇଛି। ଏହାକୁ ନେଇ ସମ୍ପୃକ୍ତ ଦେଶଗୁଡ଼ିକରେ ପୁଣି ଲକ୍‌ଡାଉନ୍‌ ଜାରି ହେବାର ଆଶଙ୍କା ଦେଖାଦେଇଛି।

Share