‘କରୋନାର ନୂଆ ଷ୍ଟ୍ରେନ୍‌, ଦ୍ୱିତୀୟ ଲହର ନୁହେଁ’

ଭୁବନେଶ୍ୱର,୨୫।୧୨(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମଣ କମିଛି। ଗତ ୨୪ ଘଣ୍ଟାରେ ମାତ୍ର ୨୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ୩,୨୭,୫୪୨ରେ ପହଞ୍ଚତ୍ଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୮ ଜିଲାରୁ ଜଣେ ବି ସଂକ୍ରମିତ ନାହାନ୍ତି। କିନ୍ତୁ ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ ପଡ଼ିଛି। ଓଡ଼ିଶାକୁ ୪୩ଜଣ ବ୍ରିଟେନ୍‌ରୁ ଫେରିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି, ବ୍ରିଟେନ୍‌ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି। ଷ୍ଟ୍ରେନ ସମ୍ପର୍କରେ ଅନୁଧ୍ୟାନ ଚାଲିଛି। ପୂର୍ବ କରୋନା ରୋଗୀଙ୍କ ଭଳି ଲକ୍ଷଣ ସମାନ ରହିଛି। ନୂଆ ଷ୍ଟ୍ରେନରେ ସଂକ୍ରମଣ ଅଧିକ ରହୁଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି। କିନ୍ତୁ ବ୍ରିଟେନର ପୂର୍ବ ତିନି ମାସର ସଂକ୍ରମଣ ହାର ଦେଖିଲେ ସେମିତି କିଛି ପ୍ରତିଫଳିତ ହେଉନି। କିନ୍ତୁ ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ସରକାର ମଧ୍ୟ ଏସବୁ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ଓ ମୁଖ୍ୟମନ୍ତ୍ରୀ ପ୍ରତିଦିନ ସମୀକ୍ଷା କରୁଛନ୍ତି। ବ୍ରିଟେନ ଫେରନ୍ତା ନିଜ ସମ୍ପର୍କରେ ସୂଚନା ଦେବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି। ବ୍ରିଟେନ ଫେରନ୍ତା ସଂକ୍ରମିତଙ୍କ ଜେନେଟିକ ଆନାଲିସିସ ହେବ। ଏହି ବ୍ୟକ୍ତିଙ୍କଠାରେ ନୂଆ ଷ୍ଟ୍ରେନ ଅଛି କି ନାହିଁ ନ ଜାଣିଲା ପର୍ଯ୍ୟନ୍ତ କିଛି ଭୟଭୀତ ହେବାର ଆବଶ୍ୟକତା ନାହିଁ। କିନ୍ତୁ ଏହାକୁ କରୋନାର ଦ୍ୱିତୀୟ ଲହର କୁହାଯାଇପାରିବ ନାହିଁ ବୋଲି ଡିଏମ୍‌ଇଟି କହିଛନ୍ତି। ଏହି ଷ୍ଟ୍ରେନ ଅଧିକ ସଂକ୍ରମିତ ବୋଲି ଯେଉଁ ଚର୍ଚ୍ଚା ହେଉଛି, ତାହା ଲାବୋରେଟୋରିର ଅନାଲିସିସ୍‌ ଓ ପ୍ରକୃତ ସ୍ଥିତି ମଧ୍ୟରେ ବହୁ ଫରକ ରହିଛି ବୋଲି ସେ କହିଛନ୍ତି। ଅପରପକ୍ଷରେ ରାଜ୍ୟରେ ବ୍ରିଟେନ ଫେରନ୍ତା ପଜିଟିଭ୍‌ ଚିହ୍ନଟ ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳ, ପୌର ଓ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଛି। ଏହାପରେ ସବୁଠି କଟକଣା ଲାଗୁ କରାଯିବା ସହ ଯାଞ୍ଚ ବଢ଼ାଇ ଦିଆଯାଇଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଗୁରୁବାର କଡ଼ାକଡ଼ି ଯାଞ୍ଚ କରାଯାଉଥିବା ଦେଖିବାକୁ ମିଳିଥିଲା।

Share