ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୩୦.୮୨ କୋଟି, ଚାଇନାର ଆଉ ଏକ ସହରରେ ଲକଡାଉନ

ୱାଶିଂଟନ/ଲଣ୍ଡନ/ବେଜିଂ,୧୧ ।୧: ବିଶ୍ୱରେ ଦ୍ରୁତ ଗତିରେ ମାଡି ଚାଲିଥିବା କରୋନା ସଂକ୍ରମଣକୁ ଦେଖିଲେ ଗତ ୨୪ ଘଣ୍ଟାରେ ୧୮.୫ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୩,୪୮୯ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ଏବେ ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦.୮୦ କୋଟିରେ ପହଞ୍ଚି ଯାଇଛି । ଇତି ମଧ୍ୟରେ ଚାଇନାର ତିଆନଜିତରେ ଗୋଟିଏ ଦିନରେ ଓମିକ୍ରନ୍ ଓ କରୋନାର ୪୦ ସଂକ୍ରମିତ ଚିହ୍ନଟ ହେବା ପରେ ସେଠାରେ ଆଶିଂକ ଲକଡାଉନ ଘୋଷଣା କରାଯାଇଛି ।
ଚାଇନାରେ ୪ ଫେବୃୟାରୀରୁ ଆରମ୍ଭ ହେଉଥିବା ଶୀତ ଅଲିମ୍ପିକ୍ସ ପୂର୍ବରୁ ସଂକ୍ରମଣକୁ ରୋକିବାକୁ ପ୍ରୟାସ କରାଯାଉଛି । ସରକାରୀ ଗଣମାଧ୍ୟମର ସୂଚନା ଅନୁଯାୟୀ, ତିଆନଜିତ ଓ ଏହାର ୧.୪ କୋଟି ଜନସଂଖ୍ୟାକୁ ୩ ଭାଗରେ ବିଭକ୍ତ କରି ପ୍ରତିବନ୍ଧକ ଲଗାଯାଇଛି । ସେଠାରୁ ବେଜିଂ ପର୍ଯ୍ୟନ୍ତ ଟ୍ରେନ୍ ସେବାକୁ ବନ୍ଦ କରି ଦିଆଯାଇଛି । ଏହାସହ ନିହାତି ଆବଶ୍ୟକ ନ ଥିଲେ କେହି ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Share