୬ ଫୁଟ୍‌ରୁ ଅଧିକ ଦୂରକୁ ବ୍ୟାପିପାରେ କରୋନା ଭୂତାଣୁ

ନୂଆଦିଲ୍ଲୀ, ୧୦।୫: କରୋନା ଭୂତାଣୁ ବାୟୁବାହିତ। ଏହା ବାୟୁରେ ୬ ଫୁଟ୍‌ରୁ ଅଧିକ ଦୂରକୁ ବ୍ୟାପିପାରେ ବୋଲି ଆମେରିକାର ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନ ପକ୍ଷରୁ କୁହାଯାଇଛି। ସଂକ୍ରମଣରୁ ବର୍ତ୍ତିବା ପାଇଁ ଏହି ସଂସ୍ଥା ପକ୍ଷରୁ ନୂଆ ଗାଇଡ୍‌ଲାଇନ ଜାରି ହୋଇଛି। ଜଣେ ବ୍ୟକ୍ତି ନିଃଶ୍ୱାସରେ ଛାଡ଼ୁଥିବା ବାୟୁରେ ରହିଥିବା ଅତି ସୂକ୍ଷ୍ମ ଜଳକଣାରେ ଭୂତାଣୁ ରହିଥାନ୍ତି। ୬ ଫୁଟ ପର୍ଯ୍ୟନ୍ତ ଏହି ଜଳକଣାରେ ଭୂତାଣୁ ବ୍ୟାପୁଥିବା କଥା ପୂର୍ବରୁ କୁହାଯାଇଥିଲା। ତେଣୁ ସଂକ୍ରମଣରୁ ବର୍ତ୍ତିବା ଲାଗି ପରସ୍ପର ମଧ୍ୟରେ ୬ ଫୁଟ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଉଥିଲା। ଆମେରିକାର ଶୀର୍ଷ ମେଡିକାଲ ସଂସ୍ଥା କହିବା ଅନୁଯାୟୀ ୩ରୁ ୬ ଫୁଟ ମଧ୍ୟରେ ସଂକ୍ରମଣ ବିପଦ ସର୍ବାଧିକ। କାରଣ ଏହି ଦୂରତା ମଧ୍ୟରେ ସୂକ୍ଷ୍ମ ଜଳକଣାର ସାନ୍ଦ୍ରତା ସର୍ବାଧିକ ରହିଥାଏ। ନିଃଶ୍ୱାସ ବାୟୁରେ ଆସୁଥିବା ଜଳକଣା ଓ ସୂକ୍ଷ୍ମ କଣିକା ଶୁଖିଯିବା ପରେ ବାୟୁରେ କିଛି ସମୟ ପାଇଁ ଭାସିବୁଲେ। ଫଳରେ ଦୂରତା ଯେତେ ବଢ଼ିବ ସଂକ୍ରମଣ ଆଶଙ୍କା ସେତେ କମ୍‌ ହେବ ବୋଲି ଗାଇଡ୍‌ଲାଇନରେ କୁହାଯାଇଛି। ଘର ଭିତରେ ଜଣେ ସଂକ୍ରମିତ ବ୍ୟକ୍ତି ଛାଡ଼ୁଥିବା ନିଃଶ୍ୱାସରେ ଭୂତାଣୁ ୧୫ ମିନିଟରୁ ଅଧିକ ସମୟ ସକ୍ରିୟ ରହିଥାନ୍ତି ଓ କେତେକ କ୍ଷେତ୍ରରେ ଏହା ଘଣ୍ଟା ଘଣ୍ଟା ଧରି ସକ୍ରିୟ ରହିଥାନ୍ତି। ତେଣୁ ଏହା ୬ଫୁଟରୁ ଅଧିକ ଦୂରରେ ଥିବା ଲୋକଙ୍କୁ ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ୬ ଫୁଟରୁ ଅଧିକ ଶାରୀରିକ ଦୂରତା ବଜାୟ ରଖିବା ସହ ଉପଯୁକ୍ତ ମାସ୍କ ପରିଧାନ କରିବା ଏବଂ ଜନଗହଳିପୂର୍ଣ୍ଣ ଆବଦ୍ଧ ସ୍ଥାନଠାରୁ ନିଜକୁ ଦୂରେଇ ରଖିବା ଲାଗି ପରାମର୍ଶ ଦିଆଯାଇଛି।

Share