ଶୀତ ସହ ବ୍ରିଟେନ-ୟୁରୋପରେ ବଢୁଛି କରୋନା ସଂକ୍ରମଣ, ଓମିକ୍ରନର ନୂଆ ସବଭାରିଏଣ୍ଟ ବି ଚିହ୍ନଟ

ଲଣ୍ଡନ,୯ ।୧୦: ପୁଣିଥରେ ଡରାଇଲାଣି କରୋନା । ପଶ୍ଚିମ ଦେଶ ବିଶେଷ କରି ବ୍ରିଟେନ ଓ ୟୁରୋପରେ ଶୀତ ବଢିବା ସହ କରୋନା ସଂକ୍ରମଣ ବି ବଢିବାରେ ଲାଗିଲାଣି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଉପଲବ୍ଧ ଟିକା ପ୍ରକାରକୁ ନେଇ ଥିବା ଦ୍ୱନ୍ଦ୍ୱ ବୁଷ୍ଟର ମାତ୍ରାକୁ ସୀମିତ କରିପାରେ । ଗତ ଗ୍ରୀଷ୍ଟରେ ଦେଖାଦେଇଥିବା ଓମିକ୍ରନର ସବଭାରିଏଣ୍ଟ ବିଏ.୪ ଓ ବିଏ.୫ ଯୋଗୁ ଅଧାକାଂଶ ସଂକ୍ରମିତ ହୋଇପାରନ୍ତି । ତେବେ ଚିନ୍ତାର ବିଷୟ ହେଉଛି ଏଥର ଓମିକ୍ରନର ନୂଆ ଭାରିଏଣ୍ଟ ଦେଖାଦେଲାଣି ।
ସିଏନଏନର ରିପୋର୍ଟ ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଯେଉଁ ସଂଖ୍ୟା ଦେଖାଇଛି ସେଥିରେ ପରୀକ୍ଷଣରେ କମ୍ ସଂଖ୍ୟା ଆସିଥିଲେ ବି ୟୁରୋପରେ ଗତ ସପ୍ତାହରେ ସଂକ୍ରମଣ ୧୫ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିଯାଇଛି । ଏହା ଗତ ଗୋଟିଏ ସପ୍ତାହ ପୂର୍ବରୁ ୮ ପ୍ରତିଶତ ଅଧିକ । ସୂଚନାଯୋଗ୍ୟ, ବିଶ୍ୱ ସ୍ତରରେ କିନ୍ତୁ କରୋନା ସଂକ୍ରମଣ କମ୍ ରହିଥିବା କୁହାଯାଇଛି । ନିକଟରେ କିଛି ସପ୍ତାହ ମଧ୍ୟରେ ୨୭ ଦେଶ ସହ ବ୍ରିଟେନ ହସ୍ପିଟାଲରେ ଭର୍ତ୍ତି ହେଉଥିବା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଏକ ସ୍ୱତନ୍ତ୍ର ସାଇଣ୍ଟିଫିକ ଫାଉଣ୍ଡେଶନ ଗିମ୍ବେ ଅନୁଯାୟୀ, ୪ ଅକ୍ଟୋବରରେ ଶେଷ ହେଉଥିବା ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ଇଟାଲୀରେ କୋଭିଡ-୧୯ରେ ପୀଡିତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ୩୨ ପ୍ରତିଶତ ବୃଦ୍ଧି ହୋଇଛି ।

Share