ପିପିଇ କିଟ୍‌ ସହ ଖେଳୁଛନ୍ତି ମାଙ୍କଡ

ପିପିଇ କିଟ୍‌ କରୋନା ଯୋଦ୍ଧାଙ୍କ ପାଇଁ ସବୁଠାରୁ ବଡ଼ ଅସ୍ତ୍ର। ଏହା ହେଉଛି ସେହି ଯୋଷାକ ଯାହାକି କରୋନା ରୋଗୀ ଏବଂ ଯୋଦ୍ଧାଙ୍କ ମଧ୍ୟରେ କାନ୍ଥଭଳି କାମ କରିଥାଏ। ହେଲେ ତାମିଲନାଡୁର ଏକ କୋଭିଡ୍‌ କେୟାର ସେଣ୍ଟରରେ ବ୍ୟବହୃତ ପିପିଇ କିଟ୍‌ ସହିତ କିଛି ମାଙ୍କଡ ଖେଳୁଥିବା ଦେଖିବାକୁ ମିଳିଛି। ଆଶ୍ଚର୍ଯ୍ୟର କଥା ହେଉଛି, କରୋନା କେୟାର ସେଣ୍ଟରରେ ମାଙ୍କଡ ପିପିଇ କିଟ୍‌ ସହ ଖେଳୁଥିବା ସେଠାର କର୍ମଚାରୀମାନେ ମଧ୍ୟ ଜାଣି ନ ଥିଲେ।
ତାମିଲନାଡୁର ଉଟି ନିକଟକରେ ଥିବା ଏକ ଘରୋଇ ବିଦ୍ୟାଳୟକୁ କୋଭିଡ୍‌ -୧୯ ସେଣ୍ଟର କରାଯାଇଛି। ଏଠାରେ ୮୦ କରୋନା ରୋଗୀ ରହିଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି, କୋଭିଡ୍‌ କେୟାର ସେଣ୍ଟର ବାହାରେ ବ୍ୟବହୃତ ହୋଇଥିବା ଅନେକଗୁଡିଏ ପିପିଇ କିଟ୍‌ ପଡିରହିଛି। ଏହା ପାଖରେ କେତେକ ମାଙ୍କଡ଼ ବସି ରହିଥିବା ବେଳେ ପିପିଇ କିଟ୍‌କୁ ଏଣେ ତେଣେ ଫୋପାଡିବାରେ ଲାଗିଛନ୍ତି। ସାଧାରଣତଃ ପିପିଇ କିଟ୍‌ଗୁଡିକ ବ୍ୟବହୃତ ହେବା ପରେ ଏକ ନିର୍ଦ୍ଦିଷ୍ଟ ପ୍ରୋଟୋକଲ ଅଧୀନରେ ଆବର୍ଜନାରେ ପକାଯାଇଥାଏ। ମାତ୍ର ଓଟିର ଏହି କୋଭିଡ୍‌ କେୟାର ସେଣ୍ଟରରେ ମେଡିକାଲ କର୍ମଚାରୀମାନେ ସମସ୍ତ ନିୟମ ଅଣଦେଖା କରିଥିଲେ। ଯାହାକି ଏକ ବଡ଼ ବିପଦ ସୃଷ୍ଟି କରିଛି। ଏହାର ଭିଡିଓ ଭାଇରାଲ ହେବାପରେ ସ୍ଥାନୀୟ ଅଧିକାରୀମାନେ ତଦନ୍ତ କରିଥିଲେ। ପରେ ଉକ୍ତ ସ୍ଥାନକୁ ସାନିଟାଇଜ୍‌ କରାଯାଇଛି।

Share