ଧଳା ହରିଣଠାରେ କରୋନା ଭୂତାଣୁ ଚିହ୍ନଟ, ନୂଆ ଭାରିଆଣ୍ଟ୍‌ ବ୍ୟାପିବା ଆଶଙ୍କା…

ଓ୍ବାଶିଂଟନ, ୮।୨ : କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଏହାର ବିଭିନ୍ନ ଭାରିଆଣ୍ଟ୍‌ ଯୋଗୁ ଲୋକେ ଅସୁବିଧାରେ ପଡ଼ିବାରେ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଖାଦେଇଥିବା କରୋନା ଭାଇରସ୍‌ର ବିଭିନ୍ନ ଭାରିଆଣ୍ଟ୍‌ର ସଂକ୍ରମଣ ଯୋଗୁ ୫୦ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏବେ ଆମେରିକାରେ ଧଳା ରଙ୍ଗର ହରିଣମାନଙ୍କ ମଧ୍ୟରେ କରୋନା ମହାମାରୀ ବ୍ୟାପିବାରେ ଲାଗିଛି। ଏହା ଯୋଗୁ ପୁଣି କରୋନା ଭୁତାଣୁର ଏକ ନୂଆ ଭାରିଆଣ୍ଟ୍‌ ସୃଷ୍ଟି ହେବାର ଆଶଙ୍କା ରହିଥିବା ବୈଜ୍ଞାନିକମାନେ କହିଛନ୍ତି।

ଧଳା ହରିଣଙ୍କଠାରେ ଚିହ୍ନଟ ହୋଇଥିବା କରୋନା ଭୁତାଣୁ ବୈଜ୍ଞାନିକମାନଙ୍କୁ ଚିନ୍ତାରେ ପକାଇଛି। ଆମେରିକାର ଆୟୋଓ୍ବାରେ ରହୁଥିବା ଧଳା ହରିଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆମେରିକାର ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏହା ଅଧିକ ବିପଜ୍ଜନକ। ବୈଜ୍ଞାନିକଙ୍କ ଅନୁସାରେ ପ୍ରାୟ ୩ କୋଟି ଏପରି ପ୍ରାଣୀ ଅଛନ୍ତି ଯେଉଁମାନଙ୍କ ମାଧ୍ୟମରେ କରୋନା ଭୂତାଣୁୁ ମଣିଷଙ୍କ ଠାରେ ବ୍ୟାପିଥାଏ। ଏହା ଧଳା ହରିଣ ମଧ୍ୟ ହୋଇପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୨୦ରେ ହରିଣମାନଙ୍କ ଶିକାର କରାଯାଇଥିଲା। ଶିକାରୀମାନଙ୍କଠାରୁ ଦଳା ହରିଣ ମୃତଦେହ ଜବତ ପରେ ସେସବୁର ପରୀକ୍ଷା କରାଯାଇଥିଲା। ଜଣାପଡ଼ିଥିଲା ପ୍ରାୟ ୬୦ ପ୍ରତିଶତ ହରିଣ ମୃତଦେହରୁ କରୋନା ଭୂତାଣୁ ମିଳିଥିଲା।

ପେନସିଲଭାନିଆ ଷ୍ଟେଟ ୟୁନିଭରସିଟିର ମାଇକ୍ରୋବିଓଲୋଜିଷ୍ଟ ତଥା ସଂକ୍ରାମକ ରୋଗ ବିଶେଷଜ୍ଞ ବିବେକ କପୁର କହିଛନ୍ତି ଯେ ଏହା ଆଶ୍ଚର୍ଯ୍ୟଜନକ ଥିଲା। ତାଙ୍କ ଦଳ ଏପର୍ଯ୍ୟନ୍ତ ୪,୦୦୦ ମୃତ ହରିଣଙ୍କ ନମୁନା ବିଶ୍ଳେଷଣ କରିଛନ୍ତି ଏବଂ ପ୍ରତ୍ୟେକ ସଂକ୍ରମିତ ପ୍ରାଣୀଙ୍କ ବାସସ୍ଥାନ ସ୍ଥିର କରିଛନ୍ତି। ସେ କହିଛନ୍ତି ଏଥିରୁ ଜଣାପଡୁଛି ଯେ କରୋନା ମହାମାରୀ ସବୁଆଡେ ବ୍ୟାପିଛି। ଏମିତି ଏକ ସମ୍ଭାବନା ଅଛି ଯେ ହରିଣ ମାଧ୍ୟମରେ କରୋନା ଭୂତାଣୁର ଏକ ନୂଆ ଭାରିଆଣ୍ଟ ସୃଷ୍ଟି ପାଇପାରେ।
ଆମେରିକାର ରୋଗ ବିଶେଷଜ୍ଞ ଡ. କେ.ସି. ବାଟର୍ନ ବେହରଓ୍ବେଶ୍‌ ନ୍ୟୁୟର୍କ ଟାଇମ୍ସକୁ କହିଛନ୍ତିି ଯେ, ଏହା ବର୍ତ୍ତମାନ ଆମେରିକା ପାଇଁ ସବୁଠାରୁ ବଡ ଚିନ୍ତାର ବିଷୟ। ପଶୁମାନଙ୍କଠାରୁ ମନୁଷ୍ୟକୁ ସଂକ୍ରମଣର ଭୟ ରହିଥାଏ। କିନ୍ତୁ ଏନେଇ ଅଧିକ ଅଧ୍ୟୟନର ଆବଶ୍ୟକତା ରହିଛି।

 

Share