Categories: ଜାତୀୟ

ଅଗଷ୍ଟରେ ଆସିବ କରୋନାର ନୂଆ ଔଷଧ, ଜାଣନ୍ତୁ ଦାମ୍‌ କେତେ

ନୂଆଦିଲ୍ଲୀ,୨୮।୭: ଭାରତ ସମେତ ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏପର୍ଯ୍ୟନ୍ତ ଏହାର ଟିକା ଆସିନାହିଁ। କେବଳ କିଛି ଔଷଧ ଦ୍ୱାରା ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି। ଅନେକ ଔଷଧ ରହିଛି, ଯାହା କରୋନା ଚିକିତ୍ସାରେ ପ୍ରଭାବଶାଳୀ ପ୍ରମାଣିତ ହେଉଛି। ବର୍ତ୍ତମାନ ଦେଶର ଜଣାଶୁଣା ଫାର୍ମାସ୍ୟୁଟିକାଲ କମ୍ପାନୀ ସିପ୍ଲା ଅଗଷ୍ଟ ପ୍ରଥମ ସପ୍ତାହରେ ଏକ ନୂତନ କରୋନା ଔଷଧ ଲଞ୍ଚ୍‌ କରିବ ବୋଲି ଘୋଷଣା କରିଛି। କୁହାଯାଉଛି ଯେ ଏହି ଔଷଧ ବଜାରରେ ମିଳୁଥିବା ଅନ୍ୟ ଔଷଧ ତୁଳନାରେ ୪୦ ପ୍ରତିଶତ ଶସ୍ତା ହେବ।
କରୋନାର ଏହି ଔଷଧର ନାମ ହେଉଛି ସିପ୍ଲାଞ୍ଜା। ଏହାକୁ ପ୍ରସ୍ତୁତ କରିବାରେ ହାଇଦ୍ରାବାଦର ଏଭେରା ଲାବୋରେଟୋରୀ ପ୍ରାଇଭେଟ ଲିମିଟେଡ କମ୍ପାନୀ ସିପ୍ଲାର ଅଂଶୀଦାର ହୋଇଛି। ଏଭେରା ଲାବୋରେଟୋରୀ ଫାଭିପିରାଭିର ଔଷଧ ତିଆରି କରି ଏହାକୁ ସିପଲାକୁ ପଠାଇବ ଏବଂ ସେହିଠାରୁ ସିପଲା ସିପ୍ଲାଞ୍ଜା ତିଆରି କରି ଏହାକୁ ଲଞ୍ଚ କରିବ। ଏଭେରା ଲାବୋରେଟୋରୀ ଅନେକ ଦଶନ୍ଧି ଧରି ଔଷଧ ଉପରେ ଗବେଷଣା କରିଆସୁଛି ଏବଂ ଏହାର ଉତ୍ପାଦନ କାର୍ଯ୍ୟରେ ନିୟୋଜିତ ଅଛି। ପଦ୍ମ ଭୂଷଣ ଡକ୍ଟର ଏ.ଭି ରାମା ରାଓ ଏହି କମ୍ପାନୀର ପ୍ରତିଷ୍ଠାତା। ୧୯୯୦ ଦଶକରେ ତାଙ୍କ ଯୋଗୁ ହିଁ ଏଡସ ବିରୋଧୀ ଔଷଧ ତିଆରି କରାଯାଇପାରିଥିଲା। ଫଳରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା ହୋଇଥିଲା। କରୋନାର ଏହି ଔଷଧ ସିପ୍ଲାଞ୍ଜାକୁ ତିଆରି କରିବାରେ କମ ଖର୍ଚ୍ଚ ହେଉଥିବାରୁ ଏହା ବଜାରରେ ବହୁତ ଶସ୍ତା ମୂଲ୍ୟରେ ଉପଲବ୍ଧ ହେବ। ଟ୍ୟାବଲେଟ ପିଛା ଏହାର ମୂଲ୍ୟ ୬୮ ଟଙ୍କା ହେବ। ଯେହେତୁ ଏହି ଔଷଧ ଭାରତରେ ତିଆରି ହେବ, ଏଠାରେ ସହଜରେ ଉପଲବ୍ଧ ହେବ। ବର୍ତ୍ତମାନ ଗ୍ଲେମାର୍କ ଫାଭିପିରାଭିରରୁ କରୋନା ଔଷଧ ତିଆରି କରୁଛି। ଯାହାର ନାମ ଫାବିଫ୍ଲୁ। ବଜାରରେ ଏହି ଟାବଲେଟର ମୂଲ୍ୟ ୧୦୪ ଟଙ୍କା ରହିଛି। କିନ୍ତୁ ସିପ୍ଲାଞ୍ଜା ଏହାଠାରୁ ୪୦ ପ୍ରତିଶତ ଶସ୍ତା ଅଟେ। କୌଣସି ଔଷଧ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେଇ ଖାଇବା ଉଚିତ୍‌।

Share