ତୃତୀୟ ଲହର ପୂର୍ବରୁ ଶିଶୁଙ୍କ ମଧ୍ୟରେ ବଢୁଛି କରୋନା ସଂକ୍ରମଣ: ୧୫ ଦିନରେ ୧୯ ହଜାରରୁ ଅଧିକ ଆକ୍ରାନ୍ତ…

ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତୃତୀୟ ଲହରରେ ଶିଶୁମାନେ ଆକ୍ରାନ୍ତ ହେବାର ଆଶଙ୍କା ରହିଥିବା ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଥିଲେ। ଏବେ ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ତେବେ ତୃତୀୟ ଲହର ପୂର୍ବରୁ କର୍ନାଟକ, ଦିଲ୍ଲୀ, ଉତ୍ତରାଖଣ୍ଡ ଆଦି ରାଜ୍ୟରେ ଶିଶୁଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ ୧୫ ଦିନ ମଧ୍ୟରେ ଦେଶରେ ୧୯ ହଜାରରୁ ଅଧିକ ଶିଶୁୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମେ’ ୧ରୁ ୧୬ ମଧ୍ୟରେ ୧୦ ବର୍ଷରୁ କମ୍‌ ବୟସ୍କ ଶିଶୁଙ୍କ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦିଲ୍ଲୀରେ ୨ ଜଣ ୫ ବର୍ଷର କମ୍‌ ବୟସ୍କ ଶିଶୁଙ୍କର କରୋନା ଯୋଗୁ ମୃତ୍ୟୁ ମଧ୍ୟ ଘଟିଛି। ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କର୍ନାଟକରେ ଧୀରେଧୀରେ ଶିଶୁଙ୍କ ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଉଛି। କେତେକ ଶିଶୁଙ୍କଠାରେ ଗ୍ୟାସ୍‌ ସମସ୍ୟା ଲକ୍ଷଣ ପ୍ରକାଶ ପାଉଛି। ଏହା ସହିତ ଜ୍ୱର, କାଶ,ନିଶ୍ୱାସ ନେବାରେ କଷ୍ଟ ହେଉଥିବା ସମସ୍ୟା ଦେଖାଯାଉଛି। ନମୁନା ପରୀକ୍ଷାରୁ ସେମାନଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସୁଛି। ଉତ୍ତରାଖଣ୍ଡରେ ଗତ ୧୫ ଦିନ ମଧ୍ୟରେ ୧,୬୧୮ ଜଣ ଶିଶୁଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏପ୍ରିଲ୍‌ ୧୬ରୁ ମେ’ ୧୪ ମଧ୍ୟରେ ଗତ ଏକ ମାସ ମଧ୍ୟରେ ରାଜ୍ୟରେ ୨,୬୭୧ ଶିଶୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶିଶୁଙ୍କୁ କରୋନା ସଂକ୍ରମଣ ହେଲେ ଅବସ୍ଥା ଅଧିକ ଅସମ୍ଭାଳ ହେବ ବୋଲି ଆଶଙ୍କା କରାଯାଉଛି। ତେଣୁ ବିଭିନ୍ନ ରାଜ୍ୟ ପ୍ରଶାସନ ପକ୍ଷରୁ କରୋନା ମାର୍ଗଦର୍ଶିକା ପାଳନକୁ କଡ଼ାକଡ଼ି କରାଯାଇଛି।

Share