କରୋନା ସଂକ୍ରମଣ: ଭାରତ ଆମେରିକା-ବ୍ରାଜିଲ୍‌କୁ ଟପିବା ଆଶଙ୍କା

ନୂଆଦିଲ୍ଲୀ, ୫।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଇତିମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୭୩ ହଜାର ୯୪୭ରେ ପହଞ୍ଚିଛି। ଏବେ ଭାରତ ରୁଷ୍‌ ପାଖାପାଖି ପହଞ୍ଚି ଯାଇଛି। ରୁଷ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୭୪ ହଜାର ୫୧୫ ରହିଛି। ଆକ୍ରାନ୍ତଙ୍କ ସଂଖ୍ୟାରେ ଭାରତ ରୁଷ୍‌ଠାରୁ ମାତ୍ର ୬୧୧ ପଛରେ ରହିଛି। ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪ ହଜାର ୧୮ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଏହି ଧାରା ଜାରି ରହିଲେ ଜୁଲାଇ ୬ରେ ଭାରତ ରୁଷ୍‌କୁ ପଛରେ ପକାଇ ତୃତୀୟ ସ୍ଥାନରେ ରହିବ। ସେହିପରି ଆସନ୍ତା ୨ ସପ୍ତାହ ମଧ୍ୟରେ ଭାରତ ଦ୍ୱିତୀୟ ସ୍ଥାନରେ ଥିବା ବ୍ରାଜିଲ୍‌କୁ ମଧ୍ୟ ପଛରେ ପକାଇବାର ଆଶଙ୍କା ସୃଷ୍ଟି ହୋଇଛି। ଏବେ ବ୍ରାଜିଲ୍‌ରେ ୧୫ ଲକ୍ଷ ୭୮ ହଜାର ୩୭୬ ଜଣ ଆକ୍ରାନ୍ତ ରହିଛନ୍ତି। ସେହିପରି କରୋନା ସଂକ୍ରମଣ ତାଲିକାର ଶୀର୍ଷରେ ଆମେରିକା ରହିଛି। ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷ ୩୫ ହଜାର ୭୭୦ରେ ପହଞ୍ଚିଛି। ଆସନ୍ତା ମାସେ ମଧ୍ୟରେ ଅର୍ଥାତ୍‌ ଜୁଲାଇ ଶେଷ ସୁଦ୍ଧା ଭାରତ ଆମେରିକାକୁ ପଛରେ ପକାଇବାର ଆଶଙ୍କା ରହିଥିବା କରୋନା ଓ୍ବାଲର୍‌ଡ ମିଟର ସର୍ଭେ ଅନୁସାରେ ଅନୁମାନ କରାଯାଉଛି। ଏବେ ଭାରତ କରୋନା ସଂକ୍ରମଣ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି। ଏହା ପଛକୁ ପଞ୍ଚମ ସ୍ଥାନରେ ପେରୁ ରହିଛି। ପେରୁରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୯ ହଜାର ୮୦ ରହିଛି।

Share