ଜେନେଭା/ନୂଆଦିଲ୍ଲୀ,୧୩।୫: ଭାରତରେ କରୋନା ମହାମାରୀ ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ପ୍ରତିଦିନ କାରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଦେଶର ଏଭଳି ସ୍ଥିତି ପାଇଁ ରାଜନୈତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ଦାୟୀ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ପକ୍ଷରୁ କୁହାଯାଇଛି। ଭାରତରେ ସୃଷ୍ଟି ହୋଇଥିବା ସ୍ଥିତି ପଡ଼ୋଶୀ ଦେଶଗୁଡ଼ିକର ଚିନ୍ତା ବଢ଼ାଇ ଦେଇଥିବା ଡବ୍ଲ୍ୟୁଏଚ୍ଓ କହିଛି। ଭାରତର ବି-୧-୬୧୭ ଭାରିଆଣ୍ଟ୍ ୪୪ଟି ଦେଶକୁ ବ୍ୟାପିଛି। ବହୁ ଚେତାବନୀ ପରେ ମଧ୍ୟ ଭାରତରେ ହୋଇଥିବା ରାଜନୈତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମରେ ଭିଡ଼ ଜମା ହୋଇଥିଲା। ଏହାଯୋଗୁ କରୋନା ସଂକ୍ରମଣ ତୀବ୍ର ବେଗରେ ବ୍ୟାପିଥିବା ଡବ୍ଲ୍ୟୁଏଚ୍ଓ ପକ୍ଷରୁ ବୁଧବାର କୁହାଯାଇଛି। ଡବ୍ଲ୍ୟୁଏଚ୍ଓ ପକ୍ଷରୁ ପ୍ରକାଶିତ ସାପ୍ତାହିକ ଇପିଡେମିଓଲୋଜିକାଲ ଅପଡେଟ୍ରେ ରିପୋର୍ଟରେ ଏଭଳି ଉଲ୍ଲେଖ କରାଯାଇଛି।