କରୋନା ସଂକ୍ରମଣ ବେଲଗାମ, ଦୈନିକ ସଂକ୍ରମଣ ୨ ଲକ୍ଷ ମୁହାଁ…

ନୂଆଦିଲ୍ଲୀ, ୧୨।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏବେ ଦୈନିକ ସଂକ୍ରମଣ ୨ ଲକ୍ଷ ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୯୪ ହଜାର ୭୨୦ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ଧାରା ଜାରି ରହିଲେ ଗୋଟିଏ ଦିନ ପରେ ସଂକ୍ରମଣ ୨ ଳକ୍ଷରେ ପହଞ୍ଚିବାର ଆଶଙ୍କା ରହିଛି।

ଗତ ୨୪ ଘଣ୍ଟାରେ ଦେଶରେ କରୋନାରେ ୪୪୨ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ୬୦ ହଜାର ୪୦୫ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର କମି ୯୬.୯୮ ପ୍ରତିଶତରେ ପହଞ୍ଚିଛି।

ଅପରପକ୍ଷରେ ସକ୍ରିୟ ମାମଲା ୯ ଲକ୍ଷ ୫୫ ହଜାର ୩୧୯ ରେ ପହଞ୍ଚିିଛି। ଦୈନିକ ପଜିଟିଭିଟି ହାର ୧୧.୦୫ ପ୍ରତିଶତକୁ ବୃଦ୍ଧି ପାଇଛି। ସାପ୍ତାହିକ ସଂକ୍ରମଣ ହାର ୭.୯୨ ପ୍ରତିଶତ ରହିଛି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୮୪ ହଜାର ୬୫୫ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୮ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୧୫୩ କୋଟିରୁ ଅଧିକ ଜଣଙ୍କୁ ଟିକାଦାନ ସରିଛି।

ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୬୦ ଲକ୍ଷ ୫୧୦ ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସଂକ୍ରମଣ ବଢୁଥିବାରୁ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି।

 

Share