୨୫୦୦ରେ ମିଳୁଛି କରୋନା ନେଗେଟିଭ୍‌ ସାର୍ଟିଫିକେଟ

ମିରଠ,୭।୭: କରୋନା ଭାଇରସ୍‌ ସଂକ୍ରମଣ ଦେଶର ପ୍ରାୟ ସବୁ ସ୍ଥାନରେ ବ୍ୟାପିସାରିଛି। ଏହାର ମୁକାବିଲା ପାଇଁ ସାରା ବିଶ୍ୱ ଏକ ହୋଇଥିବା ବେଳେ ଯେଉଠିଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ସେଠାରେ କରୋନା ରିପୋର୍ଟକୁ ନେଇ ଜାଲିଆତି ହେଉଥିବା ଘଟଣା ସାମ୍ନାକୁ ଆସିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମିରଠ ସହରରୁ। ଉକ୍ତ ସହରରେ ୨୫୦୦ଟଙ୍କା ବଦଳରେ ଏକ ହସ୍ପିଟାଲ ଜାଲ୍‌ କୋଭିଡ୍‌-୧୯ ସାର୍ଟିଫିକେଟ ଦେଉଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ମିରଠର ଏକ ନର୍ସିଂ ହୋମରେ ୨୫୦୦ଟଙ୍କା ନେଇ କରୋନା ନେଗେଟିଭ୍‌ ରିପୋର୍ଟ ଦେଉଥିବା ଦେଖିବାକୁ ମିଳିଛି। କିଛି ଲୋକ ଲାଇନ୍‌ରେ ଠିଆ ହୋଇ ହସ୍ପିଟାଲର କର୍ମଚାରୀଙ୍କୁ କରୋନା ନେଗେଟିଭ୍‌ର ଜାଲ୍‌ ସାର୍ଟିଫିକେଟ ଦେବାକୁ କହୁଥିବା ନଜର ଆସିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଘଟଣା ସର୍ବସମ୍ମୁଖକୁ ଆସିବା ପରେ ଜିଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଘଟଣାରେ ନର୍ସିଂହୋମ ବିରୋଧରେ ଏକ ମାମଲା ରୁଜୁ ହେବା ସହ ହସ୍ପିଟାଲର ଲାଇସେନ୍ସକୁ ରଦ୍ଦ କରାଯାଇଛି। ଏଥିସହ ନର୍ସିଂ ହୋମ୍‌କୁ ସିଲ୍‌ କରାଯାଇଥିବା ଜଣାପଡ଼ିଛି। ଯଦି ଏହି ଘଟଣା ପୁର୍ନବାର ଘଟୁଥିବା ଦେଖାଯାଏ ତେବେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ମିରଠ ଜିଲାପାଳ କହିଛନ୍ତି।

Share