ଦିନେ ବଢ଼ିଲେ ଦିନେ କମୁଛି: ସକ୍ରିୟ ସଂକ୍ରମଣ ସଂଖ୍ୟା ଲକ୍ଷେ ମୁହାଁ

ନୂଆଦିଲ୍ଲୀ,୨୫।୬: କରୋନା ମହାମାରୀ ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଅନେକ ଦେଶ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ଗତ କିଛି ଦିନରୁ ଭାରତରେ ମଧ୍ୟ କରୋନା ମାମଲା ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଗତ ୨୪ଘଣ୍ଟାରେ ଦେଶରେ ୧୫,୯୪୦ ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ କରୋନାଜନିତ ୨୦ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ କରୋନା ସକ୍ରିୟ ମାମଲା ଏବେ ଲକ୍ଷେ ମୁହାଁ ହୋଇଛି। ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୯୧,୭୭୯ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶୁକ୍ରବାର ତୁଳନାରେ ଶନିବାର ପ୍ରାୟ ୮ପ୍ରତିଶତ କମ୍‌ ମାମଲା ଚିହ୍ନଟ ହୋଇଛି। ଶୁକ୍ରବାର ଦେଶରେ ୧୭,୩୩୬ ନୂଆ କରୋନା ମାମଲା ଚିହ୍ନଟ ହୋଇଥିଲା। ଯାହା ଗୁରୁବାରଠାରୁ ୩୦ପ୍ରତିଶତ ଅଧିକ ରହିଥିଲା। ସୂଚନାଯୋଗ୍ୟ, ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ବର୍ତ୍ତମାନ ସୁଦ୍ଧା ୫ଲକ୍ଷ ୨୪ହଜାର ୯୭୫କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ଏପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪କୋଟି ୩୩ଲକ୍ଷ ୭୮ହଜାର ୨୩୪ରେ ପହଞ୍ଚିଛି। ଅନ୍ୟପଟେ ମହାରାଷ୍ଟ୍ର , ଦିଲ୍ଲୀ ଓ କେରଳ ଏବେ ଚିନ୍ତା ବଢ଼ାଇଛି। ମହାରାଷ୍ଟ୍ରରେ ୪,୨୦୫, କେରଳରେ ୩,୯୮୧ଓ ଦିଲ୍ଲୀରେ ୧,୪୪୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ତାମିଲନାଡୁରେ ୧,୩୫୯, କର୍ନାଟକରେ ୮୧୬ କରୋନା ମାମଲା ରେକର୍ଡ କରାଯାଇଛି। ଦେଶରେ ମିଳିଥିବା ମୋଟ ନୂଆ ମାମଲା ମଧ୍ୟରୁ ପ୍ରାୟ ୭୪ପ୍ରତିଶତ ନୂତନ ମାମଲା ଏହି ୫ଟି ରାଜ୍ୟରୁ ଆସିଛି। ଦେଶରେ ବର୍ତ୍ତମାନ କୋଭିଡ ସୁସ୍ଥତା ହାର ୯୮.୫୮ପ୍ରତିଶତ ରହିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି।

Share