Advertisement

CORONAVIRUS UPDATE: ଗଞ୍ଜାମରେ କରୋନା ପଜିଟିଭ୍‌ ୨୧କୁ ବୃଦ୍ଧି, ସମସ୍ତେ ସୁରଟ ଫେରନ୍ତା; ଜିଲାପାଳ

ଛତ୍ରପୁର, ୭।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଗୁରୁବାର ପୁଣି ୧୭ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ୪ଜଣଙ୍କଠାରେ କରୋନା ପଜିଟିଭ୍‌ ମିଳିଥିବା ବେଳେ ବର୍ତ୍ତମାନ ଏହି ପଜିଟିଭ୍‌ ସଂଖ୍ୟା ୨୧ରେ ପହଞ୍ଚିଛି। ଗୁରୁବାର ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଗଞ୍ଜାମବାସୀ ଭୟଭୀତ ହୋଇପଡିଛନ୍ତି। ନୂଆ ଚିହ୍ନଟ ହୋଇଥିବା ୧୭ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨୦ ବର୍ଷୀୟ ଯୁବତୀ ଥିବା ବେଳେ ୧୬ଜଣ ପୁରୁଷ ରହିଛନ୍ତି। ସେମାନଙ୍କ ବୟସ ଯଥାକ୍ରମେ ୨୭, ୨୭, ୨୦, ୩୮, ୨୩, ୨୯, ୫୦, ୩୦, ୨୯, ୨୧, ୪୩, ୪୩, ୩୯,୪୬, ୧୮, ୨୪ ରହିଛି। ସମସ୍ତ ପଜିଟିଭ୍‌ ସୁରଟ ଫେରନ୍ତା ବୋଲି ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସମସ୍ତ ଆକ୍ରାନ୍ତ ସୁରଟରୁ ଗଞ୍ଜାମକୁ ଫେରିବା ପରେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ। ଏମାନଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ନ ଥିବା ବେଳେ ସ୍ବାବ ଟେଷ୍ଟ ରିପୋର୍ଟରେ ପଜିଟିଭ୍‌ ବାହାରିଛି। ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜ଼ିଲାପାଳ କହିଛନ୍ତି। ଏହାକୁ ନେଇ ବ୍ୟତିବ୍ୟସ୍ତ ନ ହେବା ପାଇଁ ଜିଲାପାଳ ଗଞ୍ଜାମବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହ କୌଣସି ଲୋକଙ୍କୁ କ୍ୱାରାଣ୍ଟାଇନ୍ କେନ୍ଦ୍ର ଆଡ଼କୁ ନ ଯିବାକୁ ଜ଼ିଲାପାଳ ଅନୁରୋଧ କରିଛନ୍ତି। ଏପରିକି ତାଙ୍କର ପରିବାର ଲୋକେ ମଧ୍ୟ ସେଠାକୁ ଯାଇପାରିବେ ନାହିଁ। ସେମାନଙ୍କ ଯତ୍ନ ନିଆଯାଉଛି, କ୍ୱାରାଣ୍ଟାଇନ୍ ସେଣ୍ଟରକୁ କେବଳ ଅନୁମତି ଥିବା ଅଧିକାରୀ ଓ କର୍ମଚାରୀ ହିଁ ଯାଇପାରିବେ। ଏହି ସମୟରେ ସାମାଜିକ ଦୂରତ୍ୱ ଅବଲମ୍ବନ କରିବାକୁ ଜିଲାପାଳ ଟୁଇଟ କରି ପରାମର୍ଶ ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share