CORONAVIRUS UPDATE: ଭୁବନେଶ୍ୱରରେ ଆଉ ୧୧ କରୋନା ପଜିଟିଭ୍‌, ଆକ୍ରାନ୍ତଙ୍କ ସଂଖ୍ୟା ୧୯୬ରେ ପହଞ୍ଚିଲା

ଭୁବନେଶ୍ୱର,୨୨ା୬(ବ୍ୟୁରୋ): ସୋମବାର ଭୁବନେଶ୍ୱରରେ ପୁଣି ୧୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ବୟସ ଯଥାକ୍ରମେ ୨୧,୨୨, ୩୦, ୩୩, ୪୦ ଏବଂ ୫୫। ଏହି ଆକ୍ରାନ୍ତମାନେ ସମସ୍ତେ ପୁରୁଷ। ସେମାନେ ଉତ୍ତରପ୍ରଦେଶର ଏବଂ ମଞ୍ଚେଶ୍ୱର ଅଞ୍ଚଳରେ କାମ କରୁଥିଲେ। ଆଉ ଜଣେ ଆକ୍ରାନ୍ତ ୨୭ ବର୍ଷୀୟ ଯୁବକ। ସେ ଜୁନ୍‌ ୧୧ ତାରିଖରେ ପଶ୍ଚିମବଙ୍ଗରୁ ଫେରିଥିଲେ। ସେ ମଧ୍ୟ ମଞ୍ଚେଶ୍ୱର ଅଞ୍ଚଳରେ କାମ କରୁଥିଲେ। ସେହିପରି ବାଣୀବିହାର କ୍ୟାମ୍ପସ ଅଞ୍ଚଳରୁ ଜଣେ ୩୩ ବର୍ଷୀୟ ଯୁବକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୩ ରେଳ କର୍ମଚାରୀ ଅଛନ୍ତି। ସେମାନଙ୍କ ବୟସ ୨୮, ୩୮ ଏବଂ ୬୦ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୧୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୯୩ ଜଣ ସୁସ୍ଥ ହୋଇଛନ୍ତି। ୯୯ ଜଣ ଚିକିତ୍ସାଧୀନ ଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି।

Share