CORONAVIRUS UPDATE: ମୟୁରଭଞ୍ଜ ଛୁଇଁଲା କରୋନା; ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୨୦୦ ଟପିଲା

ଭୁବନେଶ୍ୱର,୭।୫:(ବ୍ୟୁରୋ): ରାଜ୍ୟରେ ଆଉ ୨୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି। ଗୁରୁବାର ନୂଆ ଚିହ୍ନଟ ହୋଇଥିବା ୨୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୭ ଜଣ ଗଞ୍ଜାମ ଜିଲା ଓ ୩ଜଣ ମୟୁରଭଞ୍ଜ ଜିଲାର ବୋଲି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂୂଚନା ମିଳିଛି। ଗଞ୍ଜାମ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨୦ ବର୍ଷୀୟ ଯୁବତୀ ଥିବା ବେଳେ ୧୬ଜଣ ପୁରୁଷ ରହିଛନ୍ତି। ସେମାନଙ୍କ ବୟସ ଯଥାକ୍ରମେ ୨୭, ୨୭, ୨୦, ୩୮, ୨୩, ୨୯, ୫୦, ୩୦, ୨୯, ୨୧, ୪୩, ୪୩, ୩୯,୪୬, ୧୮, ୨୪ ରହିଛି। ଆକ୍ରାନ୍ତ ସମସ୍ତ ସୁରଟ ଫେରନ୍ତା ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ପ୍ରଥମଥର ପାଇଁ ମୟୁରଭଞ୍ଜ ଜିଲାରେ ୩କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ସମସ୍ତ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ ୨୧, ୩୬ ଓ ୪୪ ରହିଛି। ଏମାନେ ସମସ୍ତେ କପ୍ତିପଦା ବ୍ଲକ ଅଞ୍ଚଳର ଏବଂ ସୁରତ ଫେରନ୍ତା ବୋଲି ସୂଚନା ମିଳିଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତ ସମସ୍ତେ କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ନମୁନା ଯାଞ୍ଚ ହେବା ପରେ ଗୁରୁବାର ରିପୋର୍ଟରେ ସେମାନଙ୍କ କରୋନା ପଜିଟିଭ୍‌ ବାହାରିଛି। ତେବେ ଏମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେନେଇ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ଏହାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୫କୁ ପହଞ୍ଚିଛି। ସେଥିମଧ୍ୟରୁ ୧୪୨ଜଣ ଚିକିତ୍ସିତ ହେଉଥିବା ବେଳେ ୬୧ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ଜଣଙ୍କର ମୃତ୍ୟୁ ଘଟିସାରିଛି ।

Share