CORONAVIRUS UPDATE: ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସାରା ଦେଶ ଓ ରାଜ୍ୟରେ ଲକ୍‌ଡାଉନ ଜାରି ରହିଥିଲେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଥମିବାରେ ନାଁ ନେଉନି। ଗୁରୁବାର ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୩ ନୂଆ ଆକ୍ରାନ୍ତ ଯାଜପୁରର ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ୩ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଯୁବତୀ ଓ ୨ଜଣ ପୁରୁଷ ରହିଛନ୍ତି। ଏମାନଙ୍କ ବୟସ ଯଥାକ୍ରମେ ୧୮, ୫୬ ଓ ୬୫ ରହିଛି। ଚିହ୍ନଟ ଆକ୍ରାନ୍ତ ସମସ୍ତଙ୍କର କୋଲକାତା ଲିଙ୍କ୍‌ ଥିବା କୁହାଯାଉଛି। ୧୮ ବର୍ଷୀୟ ଯୁବତୀ ଓ ୫୬ ବର୍ଷୀୟ ପୁରୁଷ ଯାଜପୁର କଟିକଟା ଅଞ୍ଚଳ କଣ୍ଟେନମେଣ୍ଟ ଜୋନର ହୋଇଥିବା ବେଳେ ପୂର୍ବରୁ ଦୁହେଁ କୋଲକାତା ଫେରନ୍ତା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିପରି ୬୫ବର୍ଷୀୟ ବୃଦ୍ଧ ନିକଟରେ କୋଲକାତାରୁ ଫେରିଥିବା ବେଳେ ସେ କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ତେବେ ୬୫ବର୍ଷୀୟ ସଂକ୍ରମିତ ରୋଗୀଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖାଯାଇ ନ ଥିବା ସତ୍ତ୍ୱେ ମଧ୍ୟ ରିପୋର୍ଟରେ ପଜିଟିଭ୍‌ ଆସିଛି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩୯ ଜଣ ସୁସ୍ଥ ହୋଇଥିବା ବେଳେ ୮୮ଜଣ ଚିକିତ୍ସାଧୀନ ଅଛନ୍ତ ଏବଂ ଜଣଙ୍କର ମୃତ୍ୟୁ ଘଟିସାରିଛି। ଏଯପର୍ଯ୍ୟନ୍ତ ମୋଟ ୩୧, ୬୯୬ଟି ସାମ୍ପଲ ଟେଷ୍ଟ ହୋଇଥିବା ସୂଚନା ମିଳିଛି।

Share