CORONAVIRUS UPDATE: ରାଜ୍ୟରେ ପୁଣି ୧୪୩ ପଜିଟିଭ୍‌, ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩କୁ ବୃଦ୍ଧି

ଭୁବନେଶ୍ୱର,୨୨ା୬(ବ୍ୟୁରୋ): ସୋମବାର ରାଜ୍ୟରେ ପୁଣି ୧୪୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୩୭ ଜଣ ଚିହ୍ନଟ ହୋଇଥିବା ବେଳେ ୬ ଜଣ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩୨ ଜଣ, କଟକରୁ ୨୦ ଏବଂ ଖୋର୍ଦ୍ଧାରୁ ୧୬ ଜଣ ରହିଛନ୍ତି। ସେହିପରି ନୟାଗଡ଼ ଏବଂ ବାଲେଶ୍ୱରରୁ ୧୩ ଜଣ ଲେଖାଏ ଚିହ୍ନଟ ହୋଇଛନ୍ତି। ସମ୍ବଲପୁର ୫, ଢେଙ୍କାନାଳ ୩, ଭଦ୍ରକ ୪, କଳାହାଣ୍ଡି ୬, କେନ୍ଦୁଝର ୨, ସୁନ୍ଦରଗଡ଼ ୧୨, କେନ୍ଦ୍ରାପଡ଼ା ୧୦, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ଅନୁଗୋଳ ଏବଂ ଜଗତସିଂହପୁରରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାତ୍ୟା ଅମ୍ଫନ୍‌ ସମୟରେ ଡ୍ୟୁଟି ସାରି ପଶ୍ଚିମବଙ୍ଗରୁ ଓଡ଼ିଶା ଫେରିଥିବା ଏନ୍‌ଡିଆର୍‌ଏଫ୍‌ର ଦୁଇ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫,୩୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩,୭୨୦ ଜଣ ସୁସ୍ଥ ହୋଇଛନ୍ତି। ୧୫୬୨ ଚିକିତ୍ସାଧୀନ ଏବଂ ୧୪ ଜଣଙ୍କ ମୃତ୍ୟୁ ଘଟିଛି।

Share