Advertisement

ଡିସେମ୍ବର ସୁଦ୍ଧା ଆସିବ କରୋନା ଟିକା!

ମୁମ୍ବାଇ.୧୧।୮: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇଥିବା ବେଳେ ଏବେ ଏହାର ଟିକା ବା ଭ୍ୟାକ୍ସିନକୁ ନେଇ ଚାଲିଛି ଗବେଷଣା। ଆଉ ଗୋଟିଏ ଦିନ ପରେ ରୁଷିଆ କରୋନା ଟିକା ଭେଟି ଦେବ ବୋଲି କହିଥିବା ବେଳେ ଏବେ ଭାରତ କହିଛି ଡିସେମ୍ବର ସୁଦ୍ଧା କରୋନା ଟିକା ଆସିଯାଇପାରେ। ପୁଣେର ସିରମ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ଦାବି କରିଛି ଯେ ଚଳିତ ବର୍ଷ ଶେଷ ସୁଦ୍ଧା କରୋନା ମହାମାରୀ ପାଇଁ ବଜାରରେ ଭ୍ୟାକ୍ସିନ ଉପଲବ୍ଧ ହେବ। ଦୁଇ ମାସ ମଧ୍ୟରେ ଭ୍ୟାକ୍ସିନର ଦାମ୍‌ ମଧ୍ୟ କମ୍ପାନୀ ଘୋଷଣା କରିବ ବୋଲି କହିଛି। ସୂଚନାଯୋଗ୍ୟ, ସିରମ ଇନଷ୍ଟିଚ୍ୟୁଟ ବିଶ୍ୱର ସବୁଠାରୁ ବଡ ଭ୍ୟାକ୍ସିନ ନିର୍ମାତା କମ୍ପାନୀ ହୋଇଥିବା ବେଳେ ସେ ଭାରତରେ ‘କୋଭିସିଲ୍ଡ’ ନାମରେ କରୋନା ଭ୍ୟାକ୍ସିନ ଲଞ୍ଚ କରିବାକୁ ଯାଉଛି। ଏହି ଭ୍ୟାକ୍ସିନକୁ ଅକ୍ସଫୋର୍ଡ ୟୁନିଭର୍ସିଟିର ବୈଜ୍ଞାନିକମାନେ ବିକଶିତ କରିଥିବା କୁହାଯାଏ। ସିରମ ଇନଷ୍ଟିଚ୍ୟୁଟ ପକ୍ଷରୁ ସୂଚନା ଦିଆଯାଇଛି କି ସେ ଆଇସିଏମ୍‌ଆର୍‌ ସହ ମିଶି ଦେଶରେ ହଜାର ରୋଗୀଙ୍କ ଉପରେ ଏହି ଭ୍ୟାକ୍ସିନ ପରୀକ୍ଷା କରିବ। ଅଗଷ୍ଟ ଶେଷ ସୁଦ୍ଧା ଭ୍ୟାକ୍ସିନ ପ୍ରସ୍ତୁତି ଆରମ୍ଭ କରାଯିବ। ଏହାର ଆନୁମାନିକ ମୂଲ୍ୟ ପାଖାପାଖି ୨୨୫ ଟଙ୍କା ରଖାଯିବ ବୋଲି ଅନୁମାନ କରାଯାଉଥିବା ବେଳେ ଦୁଇମାସ ପରେ ଏହାର ପ୍ରକୃତ ଦାମ କମ୍ପାନୀ ପକ୍ଷରୁ ଜଣାଇ ଦିଆଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଏବେ କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିବାକୁ ୨୦୦ରୁ ଊର୍ଦ୍ଧ୍ୱ ପ୍ରୋଜେକ୍ଟ ଉପରେ କାମ କରାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share