ନୂଆଦିଲ୍ଲୀ,୧୮।୪: ସାରା ବିଶ୍ୱ ଏବେ କରୋନା ସହ ଲଢେଇ କରୁଛି। ଦୀର୍ଘ ଦେଢ ବର୍ଷ ହେବ ଏହି ଭାଇରସ୍ ସାଧାରଣ ଜୀବନକୁ ବ୍ୟତିବ୍ୟସ୍ତ କରିଦେଇଛି। ଏବେ କରୋନା ଦ୍ୱିତୀୟ ଲହର ଦେଶରେ କୋକୁଆ ଭୟ ସୃଷ୍ଟି କରିଛି। ଫଳରେ ଦେଶର ଅନେକ ସ୍ଥାନରେ ଏବେ କଡା କଟକଣା ଲଗାଯାଇଛି। ଡାକ୍ତରମାନେ ମଧ୍ୟ ଯୋଦ୍ଧା ଭାବରେ ରୋଗୀଙ୍କ ଚିକିତ୍ସା ପାଇଁ ଦିନ ରାତି ଏକ କରିଦେଇଛନ୍ତି। ଆଜିକାଲି ସୋସିଆଲ ମିଡିଆରେ ଜଣେ ୭ ମାସର ଗର୍ଭବତୀ ମହିଳା ଡାକ୍ତରଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଦେଖି ଭାରତୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ବାଗ ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଛନ୍ତି। ସେ ସମ୍ପୃକ୍ତ ଗର୍ଭବତୀ ମହିଳାଙ୍କ ଫଟୋ ଶେୟାର କରି କହିଛନ୍ତି, ମହିଳାଙ୍କ ଡାକ୍ତରଙ୍କ ନିଃସ୍ବାର୍ଥ ସେବା ବିଷୟରେ କହିବାକୁ ଶବ୍ଦ ନାହିଁି। ସେ ମହିଳାଙ୍କୁ ହାତ ଯୋଡିବା ସହ ସମସ୍ତଙ୍କ ମାସ୍କ ପିନ୍ଧିବା ପାଇଁ ଅନୁରୋଧ କରିଛନ୍ତି।