ଡ୍ରେନ୍‌ ପାଣିରୁ ଚିହ୍ନଟ ହେବ କରୋନା ଭୂତାଣୁ, ୨୫ ସହରରେ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୦।୩ : ବର୍ତ୍ତମାନ ସୁଦ୍ଧା ଦେଶରେ କେବଳ କରୋନା ଭୂତାଣୁ କେବଳ ମାନବ ନମୁନା ସଂଗ୍ରହ ଦ୍ୱାରା ଚିହ୍ନଟ ହେଉଥିଲ। କିନ୍ତୁ ଆସନ୍ତା ସପ୍ତାହରୁ ଦେଶରେ କରୋନା ଭୂତାଣୁ ଚିହ୍ନଟ କରିବା ପାଇଁ ଡ୍ରେନ୍‌ ଏବଂ ନାଳ ନର୍ଦ୍ଦମା ପାଣିର ବ୍ୟବହାର କରାଯିବ। ଭୂତାଣୁ ଜେନୋମିକ ସର୍ଭେଲାନ୍ସ କରାଯିବ।

ଏହା ଦ୍ୱାରା କରୋନା ଭୂତାଣୁ ଚିହ୍ନଟ ହେବା ସହିତ ସମ୍ପୃକ୍ତ ଅଞ୍ଚଳରେ ଭୂତାଣୁର ପ୍ରଭାବ ମଧ୍ୟ ଆକଳନ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଶର ୨୫ଟି ପ୍ରମୁଖ ସହରରେ ଏହି ପାଇଲଟ ପ୍ରକଳ୍ପ ଆରମ୍ଭ ହେବ। ଏହି ପ୍ରକଳ୍ପ ଆରମ୍ଭ କରି ଭାରତ ଏଭଳି କରୋନା ଭୂତାଣୁ ଚିହ୍ନଟ କରିବାରେ ବିଶ୍ୱର ଏକମାତ୍ର ଦେଶ ହେବ। କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଦେଶରେ ପ୍ରଥମ ଥର ପାଇଁ ଏହି ପଦ୍ଧତିର ସର୍ବ ବୃହତ ତଥା ଅନନ୍ୟ ଜେନୋମିକ ନୀରିକ୍ଷଣ ଆରମ୍ଭ ହେବାକୁ ଯାଉଛି।

ଦେଶରେ କରୋନା ଭାଇରସ ଉପରେ ନଜର ରଖୁଥିବା ନ୍ୟାଶନାଲ କୋଭିଡ ଟାସ୍କ ଫୋର୍ସ ଦଳର ଡାକ୍ତର ଏନ.କେ ଆରୋରା କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ମାନବ ନମୁନା ସଂଗ୍ରହ କରି ସମଗ୍ର ଦେଶରେ ତିନି ପ୍ରକାରର କରୋନା ଭୂତାଣୁ ଚିହ୍ନଟ କରାଯାଇଛି। ଏଥିପାଇଁ ଆକ୍ରାନ୍ତ ଏବଂ ସେମାନଙ୍କ ସହ ଯୋଗାଯୋଗରେ ଥିବା ଲୋକଙ୍କ ନମୁନାର ପରୀକ୍ଷା କରାଯାଉଥିଲା। ଏହା ସହିତ ସର୍ବସାଧାରଣ ସ୍ଥାନ, ବିମାନବନ୍ଦର ଏବଂ ବସଷ୍ଟାଣ୍ଡରେ ଲୋକଙ୍କର ନମୁନା ସଂଗ୍ରହ କରାଯାଉଥିଲା। ଡାକ୍ତର ଆରୋରାଙ୍କ ଅନୁଯାୟୀ ବର୍ତ୍ତମାନ ପ୍ରଥମ ଥର ପାଇଁ କରୋନା ଭୂତାଣୁ ଚିହ୍ନଟ ପାଇଁ ପରିବେଶ ନୀରିକ୍ଷଣ ମଧ୍ୟ କରାଯିବ।

ବୈଜ୍ଞାନିକଙ୍କ ଅନୁଯାୟୀ, ବର୍ତ୍ତମାନ ବିଭିନ୍ନ ପ୍ରକାରର ଭୂତାଣୁ ଚିହ୍ନଟ କରିବା ପାଇଁ ପୃଥିବୀର ୫୭ଟି ସ୍ଥାନରେ ପରିବେଶ ନମୁନା ସଂଗ୍ରହ କରାଯାଉଛି।

ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ଦିଲ୍ଲୀ, ମୁମ୍ବାଇ, ପୁଣେ, ନାଗପୁର, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ, କୋଚିନ, ତ୍ରିଭାନ୍ଦ୍ରମ ଭଳି ସହରରେ ଏହା ଆରମ୍ଭ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ଦେଶର ଅନ୍ୟାନ୍ୟ ବଡ ସହରରେ ନମୁନା ସଂଗ୍ରହ ମଧ୍ୟ କରାଯିବ।

Share