Categories: ଜାତୀୟ

ଦୁର୍ନୀତିଗ୍ରସ୍ତ ନେତାଙ୍କୁ ଛାଡିବୁ ନାହିଁ: ଅମିତ ଶାହାଙ୍କ ହୁଙ୍କାର

ରାଞ୍ଚତ୍,୧୩ା୧୧:ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଝାଡ଼ଖଣ୍ଡର କୋଇଲା ଖଣି ବହୁଳ ଝରିଆଠାରେ ନିର୍ବାଚନ ପ୍ରଚାର ବେଳେ ରାଜ୍ୟର ଜେଏମ୍‌ଏମ୍‌ ନେତୃତ୍ୱାଧୀନ ମେଣ୍ଟ ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ମେଣ୍ଟ ନେତାମାନେ ଦୁର୍ନୀତି ଏବଂ କୋଇଲା ଚୋରା କାରବାରରେ ସମ୍ପୃକ୍ତ ରହିଛନ୍ତି। ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ସରକାରୀ ପାଣ୍ଠି ଲୁଟୁଥିବା ଦୁର୍ନୀତିଗ୍ରସ୍ତ ନେତାମାନଙ୍କୁ ଛଡ଼ାଯିବ ନାହିଁ। ସେମାନଙ୍କୁ ଓଲଟା ଝୁଲାଇ ଦିଆଯିବ ବୋଲି ଶାହା କହିଛନ୍ତି। ରାଜ୍ୟରୁ କୋଇଲା ଚୋରାଚାଲାଣ ବନ୍ଦ ହେବା ସହ ଏଠାରେ ରହିଥିବା ଅନୁପ୍ରବେଶକାରୀମାନଙ୍କୁ ଚିହ୍ନଟ କରାଯାଇ ତଡ଼ିଦିଆଯିବ। ଏଥିପାଇଁ ଭୋଟରମାନେ ବହୁସଂଖ୍ୟାରେ ଭାଜପାକୁ କ୍ଷମତାକୁ ଆଣିବା ନିମନ୍ତେ ବିପୁଳ ସଂଖ୍ୟାରେ ଭୋଟ ଦେବା ପାଇଁ ଶାହା ନିବେଦନ କରିଛନ୍ତି।
ଓ୍ବାକ୍‌ଫ ବୋର୍ଡ କର୍ନାଟକରେ ମନ୍ଦିର, ଗ୍ରାମବାସୀ ଓ ଅନ୍ୟମାନଙ୍କ ଜମି ଦଖଲ କରିଛି। ଏବେ ଉକ୍ତ ବୋର୍ଡରେ ପରିବର୍ତ୍ତନ ଆଣିବାର ଏବଂ ଆଇନରେ ସଂଶୋଧନ କରିବାର ସମୟ ଆସିଛି। ସେହିପରି ଦେଶରୁ ଅନୁପ୍ରବେଶକାରୀମାନଙ୍କୁ ରୋକିବାକୁ ହେବ। ଏଥିପାର୍ଇ ସମାନ ନାଗରିକ ସଂହିତା (ୟୁସିସି) ଲାଗୁକୁ କେହି ଅଟକାଇପାରିବେ ନାହିଁ। ତେବେ ଆଦିବାସୀମାନଙ୍କୁ ୟୁସିସି ବାହାରେ ରଖାଯିବ ବୋଲି ଶାହା ପ୍ରତିଶ୍ରୁତି ଦେଇଛନ୍ତି। ଭାଜପା ଓ୍ବାକଫ୍‌ ଆଇନରେ ସଂଶୋଧନ ପାଇଁ ବିଲ୍‌ ଗୃହୀତ କରାଇବ। ଏହାକୁ କେହି ରୋକିପାରିବେ ନାହିଁ ବୋଲି ଝାଡ଼ଖଣ୍ଡର ବାଘମରାଠାରେ ଏକ ନିର୍ବାଚନୀ ରାଲିକୁ ଉଦ୍‌ବୋଧନ ଦେଇ ଶାହା କହିଛନ୍ତି।

Share