ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): କୋଟପତି ସରକାରୀ ବାବୁ ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଏସ୍ପିଏଚ୍ ଆଣ୍ଡ ଡବ୍ଲ୍ୟୁସିର ପୂର୍ବତନ ଡେପୁଟି ମ୍ୟାନେଜର ପ୍ରତାପଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ବ୍ୟାପକ ଦୁର୍ନୀତି ଅଭିଯୋଗରେ ପ୍ରତାପଙ୍କୁ ନିଲମ୍ବିତ କରାଯାଇଥିଲା । ଅପାରଗତା ଓ ଦୁର୍ନୀତିି ଅଭିଯୋଗରେ ରାଜ୍ୟ ସରକାର ଗୁରୁବାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।
ସୂଚନାଯୋଗ୍ୟ, ଭିଜିଲାନ୍ସ ଚଢ଼ାଉ ବେଳେ ପ୍ରତାପଙ୍କ ଘରୁ ୧୫ କୋଟି ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଜବତ ହୋଇଥିଲା। ଚଢ଼ାଉ ପାଇଁ ଭିଜିଲାନ୍ସ ଯାଇଥିବାବେଳେ ଡରରେ ପ୍ରତାପ ୪୫ ମିନିଟ କବାଟ ଖୋଲିନଥିଲେ। ଏପରିକି ପଡୋଶୀ ଘରର ଛାତକୁ ଟଙ୍କା ପେଟି ଫୋପାଡି ଦେଇଥିଲେ । ପରେ ଭିଜିଲାନ୍ସ ସନ୍ଦେହ କରି ସେହି ଟଙ୍କା ପେଟିକୁ ଜବତ କରିଥିଲା । ସେଥିରେ ୨୦ଲକ୍ଷ ଟଙ୍କା ରହିଥିଲା ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଥିଲା । ଏହାପରେ ଘରୁ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଥିଲା। ପରେ ତାଙ୍କର କୋଟିକୋଟି ଟଙ୍କାର ପ୍ଲଟ, ବିଲ୍ଡିଂ ଓ ଶୋରୁମ ଆଦିକୁ ମଧ୍ୟ ଠାବ କରାଯାଇଥିଲା ।