୫ ପଞ୍ଚାୟତରେ ଦୁର୍ନୀତି

ମଙ୍ଗୁଳି/ଜଗତପୁର/ଟାଙ୍ଗୀ-ଚୌଦ୍ୱାର,୨୫ା୧୧(ଡି.ଏନ୍‌.ଏ): ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଯୁବ ସଂଗଠକ ଅଭୟ ବାରିକଙ୍କ ନେତୃତ୍ୱରେ ଶତାଧିକ ମହିଳା ପୁରୁଷ ଗୁରୁବାର ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ପ୍ରାୟ ତିନି ଘଣ୍ଟା ବ୍ଲକ କାର୍ଯ୍ୟାଳୟକୁ ଆନ୍ଦୋଳନକାରୀ ଅଚଳ କରିଦେଇଥିଲେ । ଅତିରିକ୍ତ ତହସିଲଦାର ଲିପ୍‌ସା ରାୟ, ଏସ୍‌ଡିପିଓ ସତ୍ୟବ୍ରତ ଲେଙ୍କା ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ପରେ ବିଡିଓ ଆଶୁତୋଷ ମିଶ୍ର ଏକ ପ୍ରତିନିଧି ମଣ୍ଡଳୀକୁ ଡକାଇ ଆଲୋଚନା କରିଥିଲେ। ବିଡିଓ ମିଶ୍ର କହିଥିଲେ, ଅଭିଯୋଗରେ ସତ୍ୟାସତ୍ୟ ଅଛି। ୨୫ଦିନ ମଧ୍ୟରେ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୂଚନାଯୋଗ୍ୟ, ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ମହିଷାଲଣ୍ଡା, ବ୍ରହ୍ମପୁର, ମଙ୍ଗରାଜପୁର, ବଡ଼ ସାମନ୍ତରାପୁର, ଶଙ୍କରପୁର ପାଞ୍ଚୟତରେ ୨୦୧୭ରୁ ୨୦୨୧ ମଧ୍ୟରେ ସ୍ବଚ୍ଛ ଭାରତ, ଆବାସ, କାଜୁଚାରା ନ ଲଗାଇ ଟଙ୍କା ହଡ଼ପ, ମନରେଗାରେ ବ୍ୟାପକ ଦୁର୍ନୀତି ହୋଇଥିବା ସୂଚନା ଅଧିକାର ଆଇନ ବଳରେ ଜଣାପଡିଥିଲା। ଗ୍ରାମବାସୀ ବ୍ଲକ ପ୍ରଶାସନ ନିକଟରେ ଦୁଇଥର ଅଭିଯୋଗ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା। ତେଣୁ ଗୁରୁବାର ପୁଣି ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଏହି ବିକ୍ଷୋଭରେ କେଦାର ନାଥ ଦାସ, ଯଶବନ୍ତ ରାଉତ, ଅଜୟ କୁମାର ଖିଲାର, ମନୋଜ କୁମାର ବାନାରା, ସୁକାନ୍ତ ସ୍ବାଇଁ, ଚିତ୍ତରଞ୍ଜନ ମଲ୍ଲିକଙ୍କ ସମେତ ଶତାଧିକ ମହିଳା ପୁରୁଷ ସାମିଲ ହୋଇଥିଲେ।

Share