ଆର୍‌ଡି ରାସ୍ତାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଫଳକ ଲଗାଇ ଲୁଟ୍‌

ଆନନ୍ଦପୁର/କଣ୍ଟିପାଳ, ୧।୮(ସନ୍ତୋଷ ରାଉତ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ କଣ୍ଟିପାଳ ପଞ୍ଚାୟତରେ ମହାଦୁର୍ନୀତି ନଜରକୁ ଆସିଛି। ଆରଡି ବିଭାଗ ଦ୍ୱାରା ନିର୍ମାଣ ହୋଇଥିବା ଏକ ରାସ୍ତାରେ ଏମଜିଏନ୍‌ଆର୍‌ଇଜିଏସ୍‌(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା)ର ନାମଫଳକ ଲଗାଯାଇ ଅର୍ଥ ହରିଲୁଟ୍‌ ହୋଇଛି। ଏହି ଅନିୟମିତତାର ନିରପେକ୍ଷ ତଦନ୍ତ କରାଗଲେ ଗୁମର ଫିଟନ୍ତା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଅଭିଯୋଗ ମୁତାବକ, ଆନନ୍ଦପୁର ବ୍ଲକ୍‌ କଣ୍ଟିପାଳ ପଞ୍ଚାୟତରେ ଥିବା ୫୩ ନଂ. ରାଜ୍ୟ ରାଜପଥରୁ ମଠସାହି ପର୍ଯ୍ୟନ୍ତ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ ହେଉଛି। କାର୍ଯ୍ୟ ଅବଧି ଶେଷ ହୋଇଥିଲେ ବି ନିର୍ମାଣ କାର୍ଯ୍ୟ ଶେଷ ହୋଇନି। ଅନ୍ୟପକ୍ଷରେ ଏହି ରାସ୍ତାକୁ ଦର୍ଶାଯାଇ ଏମଜିଏନ୍‌ଆର୍‌ଇଜିଏସ୍‌ରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଦୁଇଟି ରାସ୍ତାର ଅର୍ଥ ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଡିସେମ୍ବର ୨୦୨୨ରେ ସାଉଁତି ସାହିଠାରୁ ନଦା ଓ ମାର୍ଚ୍ଚ ୨୦୨୩ରେ ରତେଇ ସାହି ତାରିଣୀ ଶାଳଠାରୁ ନଦା ଦୁଇଟି କାର୍ଯ୍ୟାଦେଶରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରାଯାଇଛି। ପ୍ରଶାସନର ଜାଣତରେ ଏଭଳି ଦୁର୍ନୀତିକୁ ପ୍ରୋତ୍ସାହନ ଦିଆଯାଉଥିବାବେଳେ ହାତଗୁଞ୍ଜାରେ ପ୍ରଶାସନ ଚୁପ୍‌ ବସୁଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି। ଘଟଣା ନଜରକୁ ଆସିବା ପରେ ଆନନ୍ଦପୁର ବିଡିଓ ଏମଜିଏନ୍‌ଆର୍‌ଇଜିଏସ୍‌ ବିଲ୍‌କୁ ବନ୍ଦ କରି ତଦନ୍ତ ପାଇଁ ପଦକ୍ଷେପ ନେବାକୁ କହିଛନ୍ତି। ବିଡିଓ ପଞ୍ଚାନନ ମଲ୍ଲିକ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାର୍ଯ୍ୟ ହୋଇଥିଲା। ସେଥିରେ ହୋଇଥିବା କାମ ଅନୁସାରେ ଅନୁଦାନ ଦିଆଯାଇଛି। ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ହେବା ସମୟରେ ଏହି ରାସ୍ତା ଆରଡି ବିଭାଗ ଅଧୀନକୁ ଆସିଥିବା ଜଣାପଡ଼ିବା ପରେ କାର୍ଯ୍ୟ ବନ୍ଦ କରାଯାଇଛି। ଯେଉଁ କାର୍ଯ୍ୟ ହୋଇଛି କ’ଣ ତାର ସତ୍ୟାସତ୍ୟ ରହିଛି, ତଦନ୍ତ ପରେ ଅବଗତ କରାଯିବ ବୋଲି କହିଥିଲେ।