Categories: ଜାତୀୟ

ରାଫାଲ କିଣାରେ ଦୁର୍ନୀତି: ମଧ୍ୟସ୍ଥିଙ୍କୁ ମିଳିଛି ୧୦ ଲକ୍ଷ ୟୁରୋ

ନୂଆଦିଲ୍ଲୀ,୫।୪: ରାଫାଲ ଯୁଦ୍ଧ ବିମାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଫ୍ରାନ୍ସ୍‌ର ଓ୍ବେବସାଇଟ୍‌ ମିଡ଼ିଆ ପାର୍ଟରେ ଏନେଇ ତଥ୍ୟ ପ୍ରକାଶ ପାଇଛି। ଓ୍ବେବସାଇଟ୍‌ରେ ଉଲ୍ଲେଖ କରାଯାଇଛି ଯେ, ବିମାନ କିଣା ପାଇଁ ମଧ୍ୟସ୍ଥିଙ୍କୁ ୧୦ ଲକ୍ଷ ୟୁରୋ( ସାଢ଼େ ୮ କୋଟି ଟଙ୍କା) ମିଳିଛି। ୨୦୧୬ରେ ରାଫାଲ ଚୁକ୍ତି ହେବା ପରେ ଏଥିରେ ଅର୍ଥ ହେରଫେର୍‌ ହୋଇଥିବା ନେଇ ପ୍ରଥମେ ଫ୍ରାନ୍ସ୍‌ର ଦୁର୍ନୀତି ନିବାରଣ ଏଜେନ୍ସି ଏଏଫ୍‌ଏ ପକ୍ଷରୁ ସନ୍ଦେହ ପ୍ରକାଶ କରାଯାଇଥିଲା। ୨୦୧୭ରେ ବିମାନ ବିକ୍ରି କରିଥିବା ଦାସୌଲ୍ଟ୍‌ ଆଭିଏଶନ୍‌ ଗ୍ରୁପ୍‌ର ଆକାଉଣ୍ଟ୍‌ରୁ ୫୦୮୯୨୫ ୟୁରୋ ‘ଗିଫ୍ଟ ଟୁ କ୍ଲାଏଣ୍ଟ୍‌’ ଭାବେ ଟ୍ରାନ୍ସଫର ହୋଇଥିଲା। ଦାସାଲ୍ଟ୍‌ କମ୍ପାନୀର ଅଡିଟ୍‌ କରାଯିବା ସମୟରେ ଏ ସମ୍ପର୍କରେ ଜଣାପଡ଼ିଥିଲା। ୨୦୧୭ ମାର୍ଚ୍ଚ ୩୦ରେ ଦାସୌଲ୍ଟ୍‌ କମ୍ପାନୀ ଦ୍ୱାରା ବିଲ୍‌ ଉପସ୍ଥାପନ କରାଯାଇଥିଲା ଯାହାକି ମଧ୍ୟସ୍ଥିଙ୍କ ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦେବା ଲାଗି ଭାରତୀୟ କମ୍ପାନୀ ଡେଫସସ୍‌ ସଲ୍ୟୁଶନ ପକ୍ଷରୁ ପ୍ରଦାନ କରାଯାଇଥିଲା। ଏହି ବିଲ୍‌ ଫ୍ରାନ୍ସ୍‌ର ଦୁର୍ନୀତି ନିବାରଣ ଏଜେନ୍ସି ଏଏଫ୍‌ଏ ହାତରେ ଧରାପଡ଼ିଛି। ୨୦୧୮ରେ ଫ୍ରାନ୍ସ୍‌ର ପାରକ୍ୱିଟ୍‌ ନ୍ୟାଶନାଲ ଫାଇନାନ୍ସିଅର ନାମକ ଏକ ଏଜେନ୍ସି ପକ୍ଷରୁ ମଧ୍ୟ ବିମାନ କିଣା ଚୁକ୍ତିରେ ଦୁର୍ନୀତି ହୋଇଥିବା ସମ୍ପର୍କରେ ସୂଚନା ଦିଆଯାଇଥିଲା। ରାଫାଲ ଯୁଦ୍ଧ ବିମାନ କିଣାର ଚୁକ୍ତି ସମୟଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ବିରୋଧୀଙ୍କ ଟାର୍ଗେଟ୍‌ରେ ରହିଛନ୍ତି। ଭାରତକୁ ୩୬ ରାଫାଲ ବିମାନ ୨୦୨୨ ସୁଦ୍ଧା ନିର୍ମାଣକାରୀ କମ୍ପାନୀ ଯୋଗାଇ ଦେବ। ଇତିମଧ୍ୟରେ ୧୨ ବିମାନ ଭାରତକୁ ମିଳିସାରିଛି। ଖୁବ୍‌ ଶୀଘ୍ର ଅବଶିଷ୍ଟ ବିମାନ ଧାର୍ଯ୍ୟ ସମୟ ମଧ୍ୟରେ ଯୋଗାଇ ଦିଆଯିବ ବୋଲି କମ୍ପାନୀ ଚୁକ୍ତିବଦ୍ଧ ହୋଇଛି। ଏବେ ଏହାକୁ ନେଇ ମୋଦି ସରକାର ହରଡ଼ଘଣାରେ ପଡ଼ିଛନ୍ତି।

Share