ପଦାରେ ପଡ଼ିଲା ବନ ବିଭାଗ ଚାରା ଦୁର୍ନୀତି

ମାଥିଲି, ୬।୯ (ଡି.ଏନ.ଏ.):ମାଲକାନଗିରି ଜିଲା ମାଥିଲି ବ୍ଲକରେ ବନ ବିଭାଗର ଚାରାରୋପଣରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ମାଥିଲି ବ୍ଲକର ଗୋଡିଆଳି ଗ୍ରାମର ଗୋଡିଆଳି ସଂରକ୍ଷିତ ଜଙ୍ଗଲରେ ଚଳିତ ବର୍ଷ ବନ ବିଭାଗ ୩୦ ହେକ୍ଟର ଜମିରେ ଚାରାରୋପଣ କରିଥିବା କହୁଥିବା ବେଳେ ପ୍ରକୃତ ତଥ୍ୟ ରହିଛି ଏହାର ଓଲଟା। ବିଭାଗ ଏହି ୩୦ ହେକ୍ଟର ଜମିରେ ୬ହଜାର ଚାରାରୋପଣ ଲାଗି ଲକ୍ଷ୍ୟ ରଖିଥିଲା। ମାତ୍ର ୩ହଜାର ଚାରା ରୋପଣ କରି ବିଭାଗ ଦାୟିତ୍ୱ ସାରି ଦେଇଛି। ଆବଶ୍ୟକ ପରିମାଣରେ ଚାରା ଲଗାଇନି। ନିୟମ ଅନୁସାରେ ଚାରାରୋପଣ କଲେ ଏହାକୁ ସୁରକ୍ଷା ରଖିବାକୁ ଚାରା ଚାରିପଟେ ବାଡ ଦେବା କଥା। ମାତ୍ର ଏଠାରେ ତାହା ହୋଇନାହିଁ। କେବଳ ଜାଲ ଟାଣି ବିଭାଗ ନୀରବ ରହିଛି। ଚଳିତ ବର୍ଷ ଚାରା ରୋପଣ ଲାଗି ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଏଥିରେ ନିୟୋଜିତ ଶ୍ରମିକମାନଙ୍କୁ ୨ଶହ ଲେଖାଏ ଟଙ୍କା ମଜୁରି ବାବଦରେ ପ୍ରଦାନ କରାଯାଇଛି। ଏହି ଅର୍ଥ ବ୍ୟାଙ୍କ ମାଧ୍ୟରେ ସେମାନଙ୍କ ଆକାଉଣ୍ଟରେ ଦେବା ନିୟମ ଥିବା ବେଳେ ଶ୍ରମିକମାନଙ୍କ ହାତକୁ ଏହା ପ୍ରଦାନ କରାଯାଇଛି। ଏଥିସହ ଏଏନଆର ପ୍ଲାଣ୍ଟେଶନ ବାବଦରେ ମଧ୍ୟ ବହୁ ଅର୍ଥ ଆତ୍ମସାତ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି । ଏ ସମ୍ପର୍କରେ ମାଥିଲି ବନାଞ୍ଚଳ ଅଧିକାରୀ ଏବଂ ଫରେଷ୍ଟରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଉଭୟଙ୍କ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ପ୍ରତିକ୍ରିୟା ମିଳିପାରିନାହିଁ।

Share