Categories: ଜାତୀୟ

ଦୁର୍ନୀତି ସୂଚକାଙ୍କ: ୬ ପାଦ ଖସିଲା ଭାରତ

ନୂଆଦିଲ୍ଲୀ,୨୯।୧(ପି.ଟି.): ୨୦୨୦ରେ ଦୁର୍ନୀତି ସୂଚକାଙ୍କ ବା କରପଶନ୍‌ ପର୍ସେପଶନ୍‌ ଇଣ୍ଡେକ୍ସ (ସିପିଆଇ)ରେ ଭାରତ ୬ ପାଦ ତଳକୁ ଖସିଛି। ୧୮୦ ଦେଶ ଓ ଭୂଖଣ୍ଡକୁ ନେଇ ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲ ପକ୍ଷରୁ ପ୍ରସ୍ତୁତ ଏହି ତାଲିକା ଗୁରୁବାର ପ୍ରକାଶ ପାଇଛି। ସରକାରୀ କ୍ଷେତ୍ରରେ ହେଉଥିବା ଦୁର୍ନୀତି ସମ୍ପର୍କରେ ବିଶେଷଜ୍ଞ ଓ ବ୍ୟବସାୟିକ ବ୍ୟକ୍ତିବିଶେଷ ଶୂନରୁ ୧୦୦ ପର୍ଯ୍ୟନ୍ତ ସଂଖ୍ୟାକୁ ନେଇ ଏକ ମାପଦଣ୍ଡ ବ୍ୟବହାର କରିଥିଲେ। ଶୂନ ସବୁଠୁ ଦୁର୍ନୀତିଗ୍ରସ୍ତ ହୋଇଥିବାବେଳେ ୧୦୦ ହେଉଛି ଅତ୍ୟନ୍ତ ସ୍ବଚ୍ଛ। ସିପିଆଇ ଅନୁସାରେ ଯେଉଁ ଦେଶର ସ୍କୋର ଯେତେ ଅଧିକ ସେହି ଦେଶ ସ୍ବଚ୍ଛତାରେ ସେତେ ଆଗୁଆ। ଭାରତ ୪୦ ସ୍କୋର ହାସଲ କରି ୮୬ତମ ସ୍ଥାନରେ ରହିଛି। ୨୦୧୯ରେ ୧୮୦ ଦେଶ ମଧ୍ୟରୁ ଭାରତର ସ୍ଥାନ ୮୦ ଥିଲା। ସେତେବେଳେ ଦେଶର ସ୍କୋର ୪୧ ଥିଲା। ଭାରତ ଏବେ ମଧ୍ୟ ଏହି ସୂଚକାଙ୍କର ନିମ୍ନରେ ଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ୨୦୨୦ରେ ନ୍ୟୁଜିଲାଣ୍ଡ ଓ ଡେନ୍‌ମାର୍କ ୮୮ ସ୍କୋର ସହ ପ୍ରଥମ ସ୍ଥାନରେ ରହିଥିବାବେଳେ ସୋମାଲିଆ ଓ ଦକ୍ଷିଣ ସୁଦାନ ୧୨ ସ୍କୋର ସହ ୧୭୯ତମ ସ୍ଥାନରେ ରହିଛନ୍ତି।

Share