Categories: ଜାତୀୟ

ସରକାରୀ କାର୍ଯ୍ୟାଳୟରେ ବଢୁଛି ଦୁର୍ନୀତି, ବିଡ଼ିଏ ଅଧିକାରୀଙ୍କୁ ମିଳିଲାନି ଜାମିନ…

ବେଙ୍ଗାଲୁରୁ, ୨୦।୮ : ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତି ସମ୍ପର୍କରେ କର୍ନାଟକ ହାଇକୋର୍ଟ ଏକ କଡ଼ା ମନ୍ତବ୍ୟ ଦେଇଛନ୍ତି। ସରକାରୀ କାର୍ଯ୍ୟାଳୟରେ ଅନିୟନ୍ତ୍ରିତ ଦୁର୍ନୀତି ରହିଛି ବୋଲି ଦର୍ଶାଇ ବାଙ୍ଗାଲୋର ବିକାଶ ପ୍ରାଧିକରଣ (ବିଡିଏ)ର ଜଣେ ଅଧିକାରୀଙ୍କୁ ଜାମିନ ପ୍ରଦାନ କରିବାକୁ ହାଇକୋର୍ଟ ମନା କରି ଦେଇଛନ୍ତି । ହାଇକୋର୍ଟର ଜଷ୍ଟିସ କେ. ନଟରାଜନ କହିଛନ୍ତି, ଆଜିକାଲି ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତି ଅନିୟନ୍ତ୍ରିତ ହୋଇପଡିଛି। ଲାଞ୍ଚ ନ ଦେଇ କୌଣସି ଫାଇଲ ଉପରିସ୍ଥ ଅଧିକାରୀଙ୍କ ପାଖକୁ ପଠାଯାଉ ନାହିଁ । ତେଣୁ ଏହି ମର୍ମରେ ଆବେଦନକାରୀଙ୍କୁ ଜାମିନ ପ୍ରଦାନ କରାଯାଇପାରିବ ନାହିଁ ବୋଲି ମୋର ମତ ରହିଛି ବୋଲି ସେ କହିଛନ୍ତି।

ବିଡିଏ ସହକାରୀ ଯନ୍ତ୍ରୀ ବି.ଟି . ରାଜୁଙ୍କୁ ଜାମିନ ଦେବାକୁ ମନା କରିଦେଇଥିବା ବେଳେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ବିଡିଏ ଉପଯୁକ୍ତ ଅଧିଗ୍ରହଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ସଡକ ନିର୍ମାଣ ପାଇଁ ସୁଓ୍ବଲାଲ ଜୈନ ଏବଂ ସୁରେଶ ଚନ୍ଦ ଜୈନଙ୍କ ଜମି ନେଇଥିଲା। ଜୈନଙ୍କ ଜିପିଏ (ଜେନେରାଲ ପାୱାର୍‌ ଅଫ ଆଟର୍ନି) ଧାରକ ମଞ୍ଜୁନାଥ ନଭେମ୍ବର ୨୦୨୧ ରେ ଜମି ବଦଳରେ ବିକଳ୍ପ ଜମି ମଞ୍ଜୁର ପାଇଁ ବିଡିଏରେ ଆବେଦନ କରିଥିଲେ। ଯାହାକି ଅତିରିକ୍ତ ଜମି ଅଧିଗ୍ରହଣ ଅଧିକାରୀ ଏବଂ ପରେ ସଭେୟର ଏବଂ ପରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ପଶ୍ଚିମ) ଏବଂ ଶେଷରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ରାଜୁଙ୍କୁ ୩ ଜାନୁୟାରୀ ୨୦୨୨ରେ ପଠାଗଲା। ରାଜୁ ଏହାକୁ ୬ ମାସ ପର୍ଯ୍ୟନ୍ତ ବିଚାରାଧୀନ ରଖିଥିଲେ।

ଇଞ୍ଜିନିୟର ବି.ଟି ରାଜୁ ଜମି ଦେବା ବଦଳରେ ୧ କୋଟି ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ପରେ ଏହାକୁ ୬୦ ଲକ୍ଷ ଟଙ୍କାକୁ ହ୍ରାସ କରାଯାଇଥିଲା। ଏହା ପରେ, ୭ ଜୁନ ୨୦୨୨ରେ, ସେ ପାଞ୍ଚ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରାଯାଇଥିଲା। କର୍ନାଟକ ଏସିବି ଦଳ ରାଜୁଙ୍କୁ ଏକ କାରରେ ଲାଞ୍ଚ ନେଉଥିବା ବେଳେ ଧରିଥିଲେ। ଏହାପୂର୍ବରୁ ଏସିବି ରାଜୁଙ୍କ ଏକ କଲ ରେକର୍ଡିଂ ପାଇଥିଲା ଯେଉଁଥିରେ ସେ ଲାଞ୍ଚ ମାଗିଥିଲେ।

Share