Categories: ରାଜ୍ୟ

ଦୁର୍ନୀତି ହିଁ ବିକାଶର ସବୁଠାରୁ ବଡ ଶତ୍ରୁ: ନବୀନ

ଭୁବନେଶ୍ୱର,୨୧।୧୨(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ବିରୋଧରେ କଡ଼ା ଆଭିମୁଖ୍ୟ ପୋଷଣ କରିଆସିଛନ୍ତି। ଏହାକୁ ଦଳୀୟ ଓ ପ୍ରଶାସନିକ କ୍ଷେତ୍ରରେ ଜୋର୍‌ଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭକରି ସମସ୍ତ ରାଜନେତା, ସରକାରୀ କର୍ମଚାରୀ ପ୍ରତିବର୍ଷ ନିଜର ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟ। ସରପଞ୍ଚଙ୍କଠାରୁ ଆରମ୍ଭକରି ବ୍ଲକ ଚେୟାରମ୍ୟାନ, ଜିଲା ପରିଷଦ ସଭାପତି, ଉପସଭାପତି, ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସମସ୍ତେ ପ୍ରତିବର୍ଷ ସମ୍ପତ୍ତି ତାଲିକା ଦେବେ। କେବଳ ରାଜନେତା ନୁହନ୍ତି, ସରକାରୀ କର୍ମଚାରୀ ତଳସ୍ତରରୁ ଆରମ୍ଭକରି ମୁଖ୍ୟ ଶାସନ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରତିବର୍ଷ ସମ୍ପତ୍ତି ତାଲିକା ଦେବେ। ଏହାକୁ ଜନସାଧାରଣଙ୍କ ସୂଚନା ନିମନ୍ତେ ପବ୍ଲିକ ଡୋମେନରେ ରଖାଯିବ। ସରକାରୀ କର୍ମଚାରୀ ଓ ଲୋକପ୍ରତିନିଧିମାନଙ୍କର ସମ୍ପତ୍ତି ତାଲିକା ପ୍ରତିବର୍ଷ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରାଯିବ। ଦୁର୍ନୀତି ରୋକିବା କ୍ଷେତ୍ରରେ ଏଭଳି ପଦକ୍ଷେପ ନେବାରେ ଓଡ଼ିଶା ସାରା ଭାରତରେ ପ୍ରଥମ ରାଜ୍ୟ ହେବ । ଅନ୍ୟ ରାଜ୍ୟଗୁଡ଼ିକୁ ଏ ଦିଗରେ ବାଟ ଦେଖାଇବ। ସୋମବାର ବିଜୁ ଜନତା ଦଳର ନୂତନ ଭାବେ ଗଠନ ହୋଇଥିବା ରାଜ୍ୟ ପରିଷଦ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିଡିଓ କନ୍‌ଫରେନ୍ସ ଜରିଆରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମକର୍ତ୍ତାଙ୍କୁ ଏହା ବାର୍ତ୍ତା ଦେଇଛନ୍ତି।
ସଭାପତି କହିଛନ୍ତି, ଦୁର୍ନୀତି ହିଁ ବିକାଶର ବଡ଼ ଶତ୍ରୁ। ଗରିବ, ରୋଗ, ଆଞ୍ଚଳିକ ଅସମତା, ପ୍ରାକୃତିକ ବିପର୍ଯ୍ୟୟ, ଅସମାନତା ଏବଂ ଅପାରଗତା ବିରୋଧରେ ଧୀରେ ଧୀରେ ଆମେ ଲଢ଼େଇ କରୁଛୁ। ଯଦି ସ୍ବଚ୍ଛତା ଉପରେ ଗୁରୁତ୍ୱ ଦିଆ ନ ଯିବ ଏବଂ ଦୁର୍ନୀତିର ମୂଳୋତ୍ପାଟନ କରା ନ ଯିବ ତେବେ ଏ ସବୁ ମୂଲ୍ୟହୀନ ହୋଇଯିବ ।

Share