Categories: ଜାତୀୟ

କେସିଆର ପରିବାରଙ୍କ ଦୁର୍ନୀତି ଚର୍ଚ୍ଚା ଦିଲ୍ଲୀ ପର୍ଯ୍ୟନ୍ତ ହେଉଛି: ରାଜନାଥ…

ହାଇଦ୍ରାବାଦ,୧୬।୧୦ : ତେଲଙ୍ଗାନାରେ ଭାଜପା ବିଧାୟକ ଏତାଲା ରାଜେନ୍ଦ୍ରଙ୍କ ହୁଜୁରାବାଦ ନିର୍ବାଚନମଣ୍ଡଳୀରେ ଜାମିକୁନ୍ତା ଠାରେ ଏକ ରାଲି ଅନୁଷ୍ଠିତ ହୋଇଥିଲା। ରାଲିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗଦେଇ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ(କେସିଆର) ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଶାସନରେ କ୍ଷମତାର ବହୁ ଅପବ୍ୟବହାର କରାଯାଇଛି। ତାଙ୍କ ଶାସନ କାଳରେ ଦୁର୍ନୀତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। କେବଳ ତେଲଙ୍ଗାନାରେ ନୁହେଁ ଦିଲ୍ଲୀ ପର୍ଯ୍ୟନ୍ତ ମଧ୍ୟ ତାଙ୍କ ପରିବାର ଦୁର୍ନୀତି ଉପରେ ଆଲୋଚନା ହେଉଛି।

ମୁଁ ବୁଝିପାରୁ ନାହିଁ ତେଲଙ୍ଗାନାର ଲୋକମାନେ ପରିଶ୍ରମୀ ତଥା କୁଶଳୀ ହୋଇଥିଲେ ମଧ୍ୟ ରାଜ୍ୟରେ ବିକାଶ କାହିଁକି ଘଟୁନାହିଁ। ଗତ ୧୦ ବର୍ଷ ମଧ୍ୟରେ ତେଲଙ୍ଗାନାର ବିକାଶ ସୀମିତ ହେବା ସହ ଏକ ପ୍ରାଇଭେଟ ଲିମିଟେଡ ହୋଇ ଯାଇଛି। ରାଜ୍ୟ ଶାସନରେ କେସିଆରଙ୍କ ପରିବାର ବହୁ ହସ୍ତକ୍ଷେପ ରହିଛି। ଲୋକମାନେ କେସିଆରଙ୍କୁ ମୁଖ୍ୟମନ୍ତ୍ରୀ କରିଛନ୍ତି, ତାଙ୍କ ପରିବାର ନୁହେଁ। ରାଜ୍ୟ ତୁଳନାରେ ପରିବାରକୁ ଅଧିକ ଗୁରୁତ୍ୱ ଦେଊଛନ୍ତି କେସିଆର।

ଯେତେବେଳେ ଗୁଜରାଟ ଏବଂ ଦେଶର ଅନ୍ୟାନ୍ୟ ରାଜ୍ୟ ନଅରୁ ଦଶ ବର୍ଷ ମଧ୍ୟରେ ବିକାଶ କରିଛନ୍ତି, ସେତେବେଳେ ତେଲଙ୍ଗାନା କାହିଁକି ବିକାଶ ହୋଇ ପାରିନାହିଁ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ପ୍ରତିଷ୍ଠା ବୃଦ୍ଧି ପାଉଛି। କିନ୍ତୁ ତେଲଙ୍ଗାନାର ଲୋକଙ୍କୁ ଅବହେଳା କରାଯାଉଛି। ଏହାର ଉତ୍ତର କେସିଆରଙ୍କୁ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।

 

Share