୫୫ ଲକ୍ଷ ଖର୍ଚ୍ଚକରି ୨ ଇଞ୍ଚ ବଢ଼ିଲେ ଡାକ୍ତରୀ ଛାତ୍ର

ଓ୍ବାଶିଂଟନ୍‌, ୨୧।୧: ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକ ଲୋକ କସ୍‌ମେଟିକ୍‌ ସର୍ଜରୀ କରିଥାନ୍ତି। ଏବେ ଏହା ଦ୍ୱାରା ଉଚ୍ଚତା ବୃଦ୍ଧି ହେଉଥିବା ଚର୍ଚ୍ଚା ହେଉଛି। ଆମେରିକାର ଡେଲ୍ଲାସରେ ରହୁଥିବା ଛାତ୍ର ଅନଫୋନ୍‌ସୋ ଫ୍ଲୋର୍ସଙ୍କ ଉଚ୍ଚତା ୫ ଫୁଟ ୧୧ ଇଞ୍ଚ ଥିଲା। ଅପରେଶନ ପରେ ତାଙ୍କର ଉଚ୍ଚତା ୬ ଫୁଟ ୧ ଇଞ୍ଚ ହୋଇଛି।
ରିପୋର୍ଟ ଅନୁଯାୟୀ, ୨୮ ବର୍ଷୀୟ ଫ୍ଲୋର୍ସ ଜଣେ ମେଡିକାଲ ଛାତ୍ର। ସବୁବେଳେ ସେ ତାଙ୍କ ଉଚ୍ଚତା ଆହୁରି ଅଧିକ ବୃଦ୍ଧି କରିବାକୁ ଚାହୁଁଥିଲେ। ‘ଲିମ୍ବ ଲେନ୍‌ଥେନିଂ’ ସର୍ଜରୀ ମାଧ୍ୟମରେ ତାଙ୍କର ଏହି ସ୍ବପ୍ନ ପୂରଣ ହୋଇଛି। ଲସ୍‌ ଭେଗାସ୍‌ ସ୍ଥିତ ‘ଲିମ୍ବପ୍ଲେକ୍ସ ଇନ୍‌ଷ୍ଟିଚ୍ୟୁଟ୍‌’ର ହାଓ୍ବାର୍ଡ ତାଲିମପ୍ରାପ୍ତ ଅର୍ଥୋପେଡିକ୍ସ ସର୍ଜନ ଡ. କେଭିନ୍‌ ଦେବୀପ୍ରସାଦଙ୍କ ଦ୍ୱାରା ଏହି ଅସ୍ତ୍ରୋପଚାର କରାଯାଇଥିଲା। ମାତ୍ର ଏହି ଅପରେସ୍‌ନ ବହୁତ ମହଙ୍ଗା।
ଡ. କେଭିନଙ୍କ କହିବାନୁଯାୟୀ, ଏହି କସ୍‌ମେଟିକ୍‌ ସର୍ଜରୀ ମାଧ୍ୟମରେ ଶରୀରର ଉଚ୍ଚତା ବଢ଼ାଯାଇ ପାରିବ, ମାତ୍ର ଏହା ବହୁତ ମହଙ୍ଗା। ଏହି ଅପରେଶନ ପାଇଁ ଫ୍ଲୋର୍ସଙ୍କୁ ୫୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ଫ୍ଲୋର୍ସଙ୍କ ଅସ୍ତ୍ରୋପଚାରର ପୂର୍ବ ଏବଂ ପରର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପ୍ରକ୍ରିୟାରେ ଦ୍ୱାରା ଉଚ୍ଚତା ୬ ଇଞ୍ଚ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ ବୋଲି କୁହାଯାଇଛି।
ଏ ନେଇ ଫ୍ଳୋର୍ସ କୁହନ୍ତି, ୫ଫୁଟ ୧୧ ଇଞ୍ଚ ବହୁତ ଭଲ ଉଚ୍ଚତା। ମାତ୍ର ଏହାଠାରୁ ଆଧିକ ଲମ୍ବା ହେବାକୁ ମୁଁ ଚାହୁଁଥିଲେ। ଯାହା ଏବେ ସମ୍ଭବ ହୋଇଛି ବୋଲି ସେ କହିଛନ୍ତି।

Share