ହୀରାକୁଦ ଜଳଭଣ୍ଡାର ଦ୍ୱୀପରେ ହେବ କଟେଜ୍‌

ସମ୍ବଲପୁର,୨୯ା୭(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ରାଜ୍ୟ ସରକାର ଏଠାରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ପାଇଁ ୧୩୦ କୋଟି ଟଙ୍କା ଖର୍ଚ୍ଚ କରିବା ଯୋଜନା କରିଛନ୍ତି। ଜଳଭଣ୍ଡାର ଦ୍ୱୀପରେ କଟେଜ୍‌ ନିର୍ମାଣ ସହ କ୍ରୁଜ୍‌ ବୋଟ୍‌, ୨ଟି ଲକ୍‌ଜରି ବୋଟ୍‌, ବୋଟିଂ କ୍ଲବ, ପ୍ଲଟିଂ ରେଷ୍ଟୁରାଣ୍ଟ ଭଳି ପ୍ରକଳ୍ପ କରାଯିବ। ଏଥିପାଇଁ ଏକ ବଡ କମ୍ପାନୀ ସହାୟତାରେ ଡିଜାଇନ୍‌ କରାଯାଇଛି। ରାଜ୍ୟ ତଥା ଦେଶ ବାହାରୁ ପର୍ଯ୍ୟଟକ ଆସିଲେ ମଧ୍ୟ ସେମାନଙ୍କ ପାଇଁ ସୁବିଧା କରାଯିବା ବ୍ୟବସ୍ଥା ରହିଛି। ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ଅଧ୍ୟକ୍ଷ ତଥା ରାଜ୍ୟ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଅସୀତ କୁମାର ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପର୍ଯ୍ୟଟନ କ୍ଷେତ୍ରକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଆସିଛନ୍ତି। ତେଣୁ ହୀରାକୁଦ ଜଳଭଣ୍ଡାରରେ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି। ରହିବା, ଖାଇବା, ବୁଲିବା, ଜଳକ୍ରୀଡ଼ା କରିବା ଭଳି ସମସ୍ତ ସୁବିଧା ପର୍ଯ୍ୟଟକ ପାଇପାରିବେ। ଜିଲାର ହୋଟେଲ ମାଲିକଙ୍କ ସହ ଆଲୋଚନା କରାଯାଇ ହୋଟେଲ ନିର୍ମାଣ ପାଇଁ ଆଲୋଚନା କରାଯାଇଛି। ଜଳଭଣ୍ଡାରରେ ଥିବା ଆଇଲାଣ୍ଡ (ଦ୍ୱୀପ)ର ମଧ୍ୟ ବିକାଶ କରାଯିବ। ସେଠାରେ ୫ ବର୍ଷିୟା ଯୋଜନାରେ କଟେଜ୍‌ ନିର୍ମାଣ କରାଯିବ। ଏହାସହ ୨୫୦ କୋଟି ବ୍ୟୟ ଅଟକଳରେ ସମଲେଇ ଯୋଜନା ହାତକୁ ନିଆଯାଇଛି। ଏଥିରେ ସମଲେଇ ମନ୍ଦିର ସହ ପାରିପାର୍ଶ୍ୱିକ ବିକାଶ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଘୋଷଣା କରିସାରିଛନ୍ତି। ଏକସପ୍ତାହ ଭିତରେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ କାମ ଆରମ୍ଭ ହେବ। ପ୍ରାୟ ୨ଶହ ପରିବାରଙ୍କୁ କ୍ଷତିପୂରଣ ଦେବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଅଧ୍ୟକ୍ଷ ତ୍ରିପାଠୀ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ସଚିବ ବିଶାଳ ଦେବ ଉପସ୍ଥିତ ଥିଲେ।

Share