Categories: ଫୁରସତ

କଟନ୍‌ କ୍ୟାଣ୍ଡି

ପିଲାମାନଙ୍କର ଏହା ଖୁବ୍‌ ପ୍ରିୟ। ଯାତ୍ରା, ମେଳା, ବଜାର ଆଦିରେ ମିଳେ। ତା’ର ମିଠା ସ୍ବାଦ ଓ ଗୋଲାପୀ ରଙ୍ଗ ପିଲାଙ୍କୁ ଆକର୍ଷିତ କରେ। ସେଇଥିପାଇଁ ତ ବର୍ଷ ବର୍ଷ ବିତି ଯାଇଥିଲେ ହେଁ, କମିନି ଏହାର ଚାହିଦା। କିଏ ଏହାକୁ କହେ ‘ବମ୍ବେଇ ଲଡୁ’ ତ କିଏ କହେ ‘କଟନ୍‌ କ୍ୟାଣ୍ଡି’। କିଏ ପୁଣି କହେ ‘କଣ୍ଢେଇ ଚୁଟି’। ଆସନ୍ତୁ ଜାଣିବା ଏହାକୁ କିଏ ଓ କେବେ ତିଆରି କରିଥିଲେ।
କଟନ କ୍ୟାଣ୍ଡି ତିଆରି ପଛର ମଣିଷ: ଆମେରିକାର ଓ୍ବିଲିୟମ୍‌ ଜେମ୍ସ ମୋରିସନ୍‌ ନାମକ ଜଣେ ଦାନ୍ତ ଚିକିତ୍ସକ ବିଭିନ୍ନ ପ୍ରକାରର ନୂଆ ଓ ଅଜବ ଜିନିଷ ଉଦ୍ଭାବନ ପାଇଁ ପ୍ରସିଦ୍ଧ ଥିଲେ। ୧୮୯୭ର କଥା- ଜେମ୍ସ ମୋରିସନ୍‌, ଜନ୍‌ ସି ହ୍ବାର୍ଟନ୍‌ ନାମକ ଜଣେ ମିଷ୍ଟାନ୍ନ ପ୍ରସ୍ତୁତକାରୀଙ୍କ ସହ ମିଶି ଏକ ନୂଆ ମେସିନ୍‌ ତିଆରି କଲେ, ଯାହା ଗରମ ଚିନିକୁ ବୁଲାଇ ବୁଲାଇ କଟନ୍‌ କ୍ୟାଣ୍ଡି ପ୍ରସ୍ତୁତ କଲା। ସେ ସମୟର ଏହା ଥିଲା ଏକ ବିସ୍ମୟକର ଉଦ୍ଭାବନ। ଉକ୍ତ ମେସିନ୍‌କୁ ତିଆରି କରିବାର ୭ ବର୍ଷ ପରେ ୧୯୦୪ ମସିହାରେ ସେଣ୍ଟ ଲୁଇସ୍‌ ଓ୍ବାର୍ଲଡ ଫେୟାର୍‌ରେ, ଜେମ୍ସ ମୋରିସନ୍‌ ନିଜର ଏହି ଉଦ୍ଭାବନକୁ ପ୍ରଥମ ଥର ପାଇଁ ପ୍ରଦର୍ଶିତ କରିଥିଲେ। ଲୋକେ ଏହାକୁ ଦେଖିବାପରେ ବହୁତ ପସନ୍ଦ କରିଥିଲେ। ଆମେରିକାରେ ଏହା ‘ଫେୟାରୀ ଫ୍ଳସ୍‌’ ନାମରେ ପରିଚିତ ହେଲା। ସେଦିନର ସେହି ମେଳାରେ ୬୮୦୦୦ରୁ ଊର୍ଦ୍ଧ୍ୱ ମେସିନ୍‌ ବିକ୍ରି ହେଇଥିଲା। ସେହି ମେସିନ୍‌ରେ ପ୍ରସ୍ତୁତ କଟନ୍‌ କ୍ୟାଣ୍ଡି ଧଳାରଙ୍ଗର ହେବାବେଳେ ସ୍ବାଦ ସେତେ ଖାସ୍‌ ନ ଥିଲା। ତେବେ ବି ତାହା ଲୋକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଥିଲା।
କଟନ୍‌ କ୍ୟାଣ୍ଡି ନାଁ ପଛର କଥା: ୧୯୨୧ରେ ଲୁଇଜିଆନାର ଯୋଶେଫ୍‌ ଲସ୍କାକ୍ସ ନାମକ ଅନ୍ୟ ଜଣେ ଦନ୍ତ ଚିକିତ୍ସକ ଆଉ ଏକ କଟନ୍‌ କ୍ୟାଣ୍ଡି ମେସିନ୍‌ ତିଆରି କରିଥିବା ଦାବି କରିଥିଲେ। କୁହାଯାଏ ଯୋଶେଫ୍‌ ଲସ୍କାକ୍ସ ହିଁ ତୁଳା ପରି ଦେଖାଯାଉଥିବା ଏହି ମିଠା ଖାଦ୍ୟର ନାଁ ‘କଟନ କ୍ୟାଣ୍ଡି’ ରଖିଥିଲେ।
ସମୟ ବଦଳିବା ସହିତ କଟନ୍‌ କ୍ୟାଣ୍ଡି ମେସିନ୍‌ରେ ଅନେକ ପରିବର୍ତ୍ତନ ଆସିଲା।୧୯୭୦ ମସିହାରେ ଆଉ ଏକ କଟନ୍‌ କ୍ୟାଣ୍ଡି ମେସିନ୍‌ ବି ତିଆରି ହୋଇଥିଲା, ଯାହାକି ପୁରାପୁରି ଅଟୋମେଟିକ୍‌ ଥିଲା। ଏହାକୁ ଚଳେଇବା ପାଇଁ ମଣିଷର ଆବଶ୍ୟକତା ନ ଥିଲା।
ଚିନିରେ ତିଆରି ହେଉଥିବାରୁ ଏହାର ପ୍ରକୃତ ରଙ୍ଗ ଧଳା। କିନ୍ତୁ ଖାଇବା ରଙ୍ଗ ମିଶାଯିବା ପରେ ତାହା ଗୋଲାପୀ ରଙ୍ଗରେ ପରିଣତ ହୋଇଥାଏ। କିଛି ସ୍ଥାନରେ ଏହା ନୀଳ ଓ ବାଇଗଣୀ ରଙ୍ଗରେ ବି ଉପଲବ୍ଧ ହୁଏ। ଏମିତିରେ ତ କଟନ୍‌ କ୍ୟାଣ୍ଡିର ସ୍ବାଦ ମିଠା। ତେବେ ଆଜିକାଲି ଏଥିରେ ଫ୍ଲେଭର୍‌ ମିଶାଯାଇ ଏହାର ସ୍ବାଦ ବଦଳାଯାଉଛି। ଆଉ ଆଜି ବି ଏହା ଏତେ ଲୋକପ୍ରିୟ ଯେ, ଆମେରିକାରେ ପ୍ରତିବର୍ଷ ୭ ଡିସେମ୍ବରରେ ‘ନ୍ୟାଶନାଲ କଟନ୍‌ କ୍ୟାଣ୍ଡି ଡେ’ ପାଳିତ ହେଉଛ।

Share