ଟେକ୍ସଟାଇଲ ପାର୍କ ନ ଥିବାରୁ କପାଚାଷୀ ଉପକୃତ ହୋଇପାରୁନାହାନ୍ତି: ମନମୋହନ

ଭବାନୀପାଟଣା,୮।୧୦(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କଳାହାଣ୍ଡି ଜିଲା ଗସ୍ତରେ ଆସିଥିଲେ। ଶନିବାର ପୂର୍ବାହ୍ନରେ ଭବାନୀପାଟଣା ସର୍କିଟ ହାଉସଠାରେ ଜିଲା ଭାଜପା ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ମନମୋହନ କହିଛନ୍ତି, କଳାହାଣ୍ଡି ଜିଲାରେ ଅଧିକ କପା ଚାଷ ହେଉଥିଲେ ମଧ୍ୟ ଟେକ୍ସଟାଇଲ ପାର୍କ ନାହିଁ। ତେଣୁ ଏଠାକାର କପା ଚାଷୀ ଉପକୃତ ହୋଇପାରୁ ନାହାନ୍ତି । ଏଥିସହିତ ଜିଲାରେ ପର୍ଯ୍ୟଟନର ବିକାଶ ହେଲେ ଦାଦନ ଖଟୁଥିବା ଲୋକ ଉପକୃତ ହେବା ସହ ସେମାନଙ୍କ ଆର୍ଥିକ ସ୍ଥିତିର ବିକାଶ ହୋଇପାରିବ। କଳାହାଣ୍ଡି ଜିଲାରେ ଆଦିବାସୀ ବିଶ୍ୱବିଦ୍ୟାଳୟ ସ୍ଥାପନ ପ୍ରସଙ୍ଗରେ ମନମୋହନ କହିଥିଲେ, ଏହି ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜମି ଯୋଗାଇ ଦିଆଯାଉ ନ ଥିବାରୁ ଏହା ବିଳମ୍ବିତ ହୋଇଛି। କଳାହାଣ୍ଡି ଭଳି ରାଜ୍ୟର କେତେକ ଜିଲାରେ ମେଡିକାଲ କଲେଜ ଖୋଲିବା ପାଇଁ କେନ୍ଦ୍ର ସରକାର ଅନୁଦାନ ଦେଇଥିବାରୁ ଓଡ଼ିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ୨୦୨୪ ସାଧାରଣ ନିର୍ବାଚନରେ ଭାଜପା ଓଡ଼ିଶାରେ କ୍ଷମତାକୁ ଆସିଲେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଦାଦନ ଆଦି ସମସ୍ୟାର ସମାଧାନ ହେବ ବୋଲି ସେ କହିଥିଲେ। ଏହି ସମ୍ମିଳନୀରେ ରାଜ୍ୟ ସମ୍ପାଦକ ସରୋଜ କର, ଏମ୍‌ପି ବସନ୍ତ ପଣ୍ଡା, ଜିଲା ପ୍ରଭାରୀ ରମେଶ ସାହୁ, ଜିଲା ସଭାପତି ଦେବେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।