ରପ୍ତାନୀ ପୂର୍ବରୁ କଫ ସିରପର ହେବ ଗୁଣବତ୍ତା ଯାଞ୍ଚ୍‌: ଜୁନ୍‌ ୧ରୁ ନିୟମ ଲାଗୁ…

ନୂଆଦିଲ୍ଲୀ,୨୩।୫ : ଭାରତୀୟ ଫାର୍ମାସ୍ୟୁଟିକାଲ ସଂସ୍ଥା ଦ୍ୱାରା ରପ୍ତାନି ହୋଇଥିବା କଫ ସିରପକୁ ନେଇ ବିଶ୍ୱବ୍ୟାପୀ ଆକ୍ରୋଶ ପରେ ସରକାର ଏକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। ଔଷଧ ବିଦେଶ ପଠାଯିବା ପୂର୍ବରୁ ଗୁଣବତ୍ତା ପରୀକ୍ଷା କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେଣୁ, ବର୍ତ୍ତମାନ କଫ ସିରପ ରପ୍ତାନିକାରୀମାନଙ୍କୁ ସେମାନଙ୍କ ଉତ୍ପାଦକୁ ବିଦେଶ ପଠାଇବା ପୂର୍ବରୁ ନିର୍ଦ୍ଦିଷ୍ଟ ସରକାରୀ ଲାବୋରେଟୋରୀରେ ପରୀକ୍ଷା କରିବାକୁ ପଡିବ ।

ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (ଡିଜିଏଫଟି) ଏନେଇ ଏକ ବିଜ୍ଞପ୍ତି ଜାରି କରିଛି। ଏଥିରେ ଦର୍ଶାଯାଇଛି ଉତ୍ପାଦର ନମୁନାକୁ ପ୍ରଥମେ ଲାବୋରେଟୋରୀରେ ପରୀକ୍ଷା କରିବାକୁ ପଡିବ। କେବଳ ଏହି ଅନୁମତି ପରେ କଫ ସିରପ ରପ୍ତାନି କରିବାକୁ ଦିଆଯିବ। ଏହି ନୂତନ ନିୟମ ଜୁନ ୧ ରୁ ଲାଗୁ ହେବ ।

ଡିଜିଏଫଟି କହିଛି ସରକାରୀ ଲାବୋରେଟୋରୀରେ କଫ ସିରପର ନମୁନା ବାଧ୍ୟତାମୂଳକ ଭାବେ ପରୀକ୍ଷା କରାଯିବ। ପରୀକ୍ଷା ପ୍ରମାଣପତ୍ର ପାଇବା ପରେ ହିଁ ବିଦେଶକୁ ରପ୍ତାନି କରିବାକୁ ଅନୁମତି ଦିଆଯିବ। ବିଭିନ୍ନ ସହରରେ ଅବସ୍ଥିତ ଆଞ୍ଚଳିକ ଡ୍ରଗ ଟେଷ୍ଟିଂ ଲାବୋରେଟୋରୀ, କୋଲକାତାର ସେଣ୍ଟ୍ରାଲ ଡ୍ରଗ ଟେଷ୍ଟିଂ ଲାବୋରେଟୋରୀ ଏବଂ ସେଣ୍ଟ୍ରାଲ ଡ୍ରଗ ଟେଷ୍ଟିଂ ଲାବୋରେଟୋରୀରେ ଏହି ନମୁନା ପରୀକ୍ଷା କରାଯିବ। ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ବୀକୃତିପ୍ରାପ୍ତ ଔଷଧ ପରୀକ୍ଷା ଲାବୋରେଟୋରୀରେ ନମୁନା ମଧ୍ୟ ପରୀକ୍ଷା କରାଯାଇପାରିବ ।

ଉଲ୍ଲେଖନୀୟ କଥା ହେଉଛି, ଭାରତରେ ନିର୍ମିତ କଫ ସିରପର ଗୁଣବତ୍ତା ସମ୍ପର୍କରେ ସାରା ବିଶ୍ୱରେ ପ୍ରଶ୍ନ ଉଠିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ଗତ ବର୍ଷ ଗାମ୍ବିଆ ଏବଂ ଉଜବେକିସ୍ତାନରେ ଯଥାକ୍ରମେ ୮୮ ଏବଂ ୧୮ ପିଲାଙ୍କର ମୃତ୍ୟୁ ହୋଇଥିଲା। ଭାରତ ଦ୍ୱାରା ନିର୍ମିତ କଫ ସିରପ ଏଥିପାଇଁ ଦାୟୀ ବୋଲି କୁହାଯାଇଥିଲା। ଏଥି ସହିତ, ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତରୁ ୧୭ ବିଲିୟନ ଡଲାର ମୂଲ୍ୟର କଫ ସିରପ ରପ୍ତାନି ହୋଇଥିଲା ଏବଂ ୨୦୨୨-୨୩ ମସିହାରେ ଏହି ପରିମାଣ ୧୭.୬ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଥିଲା।

Share