Advertisement

ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା କଫ ସିରପ୍‌, ମାଡିବସିଲା ପୋଲିସ: ୨ ଗିରଫ

ବଲାଙ୍ଗୀର, ୧୦ା୩(ସୁନିଲ କୁମାର ମହାନ୍ତି): ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ବେଆଇନ କଫ ସିରପ। ପୋଲିସ ଆଖିରେ ଧୂଳି ଦେଇ କଫ ସିରପ ବେପାରୀମାନେ ଏଭଳି ଅଭିନବ ଉପାୟରେ ବେଆଇନ ବେପାର ଚଲାଇଥିଲେ। ବଲାଙ୍ଗୀର ଟାଉନ ଥାନା ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୮୦୦ ବୋତଲ କଫ ସିରଫ ଜବତ କରିଛି। ଏହା ସହିତ କଫ ସିରପ ଚାଲାଣ ହେଉଥିବା ଏକ ଘରୋଇ ଆମ୍ବୁଲାନ୍ସ, କାର ଏବଂ ଗୋଟିଏ ସ୍କୁଟି ଜବତ କରିଛି। ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯିବାକୁ ସକ୍ଷମ ହୋଇଥିବା ଜଣାପଡିଛି। ବଲାଙ୍ଗୀର ଏସପି ଅଭିଳାଷ ଜି. ଏକ ପ୍ରେସ ବିଜ୍ଞପ୍ତିରେ ଉପରୋକ୍ତ ସୂଚନା ଦେଇଛନ୍ତି।

ଏକ ଘରୋଇ ଆମ୍ବୁଲାନ୍ସରେ ବେଆଇନ କଫ ସିରପ ବଲାଙ୍ଗୀର ସହର ବ୍ରାହ୍ମଣପଡାରୁ ଟିଟିଲାଗଡ ରୋଡକୁ ଚାଲାଣ ହେଉଥିବା ସମ୍ପର୍କରେ ଟାଉନ ଥାନା ପୋଲିସକୁ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଥିଲା। ସୂଚନା ମୁତାବକ, ଟାଉନ ଥାନା ପୋଲିସ ସୋମବାର ଦିନ ପ୍ରାୟ ୧ଟା ସମୟରେ ବିଶାଳ ମେଗା ମର୍ଟ ନିକଟରେ ପୋଲିସ ପକ୍ଷରୁ ନାକା କରାଯାଇଥିଲା। ପୋଲିସ ଟିମ ଏକ ଘରୋଇ ଆମ୍ବୁଲାନ୍ସ (ଓଡି୩୩ବି ୩୪୯୦), ଏକ ହ୍ୟୁଣ୍ଡାଇ ବେର୍ଣ୍ଣା (ଡବ୍ଳ୍ୟୁବି୨୦ଜେଡ ୮୧୫୨) କାର ଏବଂ ଏକ ସ୍କୁଟି (ଓଡି୦୩ଏସ ୧୬୪୧)କୁ ଅଟକାଇଥିଲେ। ଦୁଇ ଗାଡି ଯାଞ୍ଚ ବେଳେ ୧୫ ପେଟି ବା ୧୮୦୦ ବୋତଲ ୱିନିରେକ୍ସ କଫ ସିରପକୁ ପୋଲିସ ଜବତ କରିଥିଲା।

ଏହି ଘଟଣାରେ ପୋଲିସ ଦୁଇଜଣ ତରଭା ଥାନା ମେଣ୍ଡା ଗାଁର ଅଭିଯୁକ୍ତ ରାକେଶ ଓରଫ ମିଲୁ ପଧାନ (୨୮) ଏବଂ ବଲାଙ୍ଗୀର ଟାଉନ ଥାନା ଶାସ୍ତ୍ରୀନଗରର ବବଲୁ ଓରଫ ହରିହର ମିଶ୍ର (୩୭)ଙ୍କୁ ପୋଲିସ ଗିରଫ କରିଛନ୍ତି। ଅନ୍ୟଜଣେ ଅଭିଯୁକ୍ତ ସେଠାରୁ ବେଆଇନ କଫ ସିରପ ଥିବା କାର ଛାଡି ଫେରାର ମାରିବାକୁ ସକ୍ଷମ ହୋଇଯାଇଥିଲେ। ପୋଲିସ ଦୁଇଟି ମୋବାଇଲ ଫୋନ, ୧୩ ନମ୍ବର ଏଟିଏମ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ୧୧୫୦ ଟଙ୍କା, ଏକ ଗାଡି ରେଜିଷ୍ଟ୍ରେଶନ ସାର୍ଟିଫିକେଟ, ଏକ ଭୋଟର କାର୍ଡକୁ ପୋଲିସ ଜବତ କରିଛି। ଏସଂକ୍ରାନ୍ତରେ ଟାଉନ ଥାନାରେ ଏକ ମାମଲା (୧୮୩/୨୫) ରୁଜୁ କରାଯାଇଛି। ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share