କାଉଣ୍ଟଡାଉନ୍‌ ଆରମ୍ଭ, ଇତିହାସ ରଚିବ ଭାରତ

ନୂଆଦିଲ୍ଲୀ,୨୩ା୮: ଭାରତର ଚନ୍ଦ୍ରୟାନ-୩ ଆଉ କିଛି ସମୟ ମଧ୍ୟରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ। ଏନେଇ ସମଗ୍ର ବିଶ୍ୱବାସୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଆଜି ଏନେଇ ଇତିହାସ ରଚିବାକୁ ଯାଉଛି। ଚନ୍ଦ୍ରୟାନ-୩ ଆଜି ଚନ୍ଦ୍ରର ସାଉଥ୍‌ ପୋଲରେ ଏକ ସଫ୍ଟ ଲ୍ୟାଣ୍ଡିଂ କରିବ। ଜୁଲାଇ ୧୪ରେ ଇସ୍ରୋର ବାହୁବଳୀ ରକେଟ୍‌ ମାର୍କ-୩ ସହାୟତାରେ ଚନ୍ଦ୍ରୟାନ-୩କୁ କକ୍ଷପଥରେ ପହଞ୍ଚାଇଥିଲା। ଏହା ପୃଥିବୀକୁ ଅଣ୍ଡାକୃତି କକ୍ଷପଥରେ ଏକାଧିକ ଥର ପରିକ୍ରମା କରିବା ସହ ବେଗ ମଧ୍ୟ ବଢ଼ାଇଥିଲା। ଅଗଷ୍ଟ ୧ରେ ଏହା ଚନ୍ଦ୍ର ଅଭିମୁଖେ ଯାତ୍ରା କରି ୫ରେ ଏହାର କକ୍ଷପଥରେ ପହଞ୍ଚିଥିଲା। ଏହା ଚନ୍ଦ୍ରକୁ ପରିକ୍ରମା କରିବା ସହ ଏକାଧିକ କକ୍ଷପଥ ଓ ବେଗ ହ୍ରାସ କରାଯାଇଥିଲା।

ଇସ୍ରୋର ଘୋଷଣା ଅନୁଯାୟୀ, ଆଜି ସନ୍ଧ୍ୟା ୬ଟା ୦୪ରେ ଚନ୍ଦ୍ରର ସାଉଥ୍‌ ପୋଲ୍‌ ବା ଦକ୍ଷିଣ ମେରୁରେ ‘ଚନ୍ଦ୍ରଯାନ-୩’ର ବିକ୍ରମ ଲ୍ୟାଣ୍ଡିଂ କରିବା  ପରେ ହିଁ କାମ କରିବା ଆରମ୍ଭ କରିବ। ଯଦି ସଫ୍ଟ ଲ୍ୟାଣ୍ଡିଂ ସଫଳ ହୁଏ ତେବେ ବିକ୍ରମ ଲ୍ୟାଣ୍ଡରରୁ ଅଲଗା ହୋଇ ୬ ଚକ ବିଶିଷ୍ଟ ପ୍ରଜ୍ଞାନ ରୋଭର୍‌ ବାହାରକୁ ଆସିଯିବ ଓ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ରୁ ନିର୍ଦ୍ଦେଶ ପାଇ ଚନ୍ଦ୍ରପୃଷ୍ଠରେ ପରିଭ୍ରମଣ କରିବ। ଏହା ୫୦୦ ମିଟର ପର୍ଯ୍ୟନ୍ତ ଗତି କରିବା ପରେ ସେଠାରେ ଜଳର ଉପସ୍ଥିତି ଓ ବାତାବରଣ ସମ୍ପର୍କରେ ସୂଚନା ପ୍ରଦାନ କରିବ।

ଏହାର ଲେଗ୍‌ଗୁଡ଼ିକୁ ଏଭଳି ଡିଜାଇନ କରାଯାଇଛି ଯାହା ସେକେଣ୍ଡ ପ୍ରତି ୩ ମିଟର ବେଗର ପ୍ରଭାବକୁ ଗ୍ରହଣ କରିପାରିବ। ଲେଗ୍‌ର ସେନ୍‌ସର ଚନ୍ଦ୍ରପୃଷ୍ଠ ଛୁଇଁବା ଅନୁଭବ କରିବା ପରେ ଏହାର ଇଞ୍ଜିନଗୁଡ଼ିକ ବନ୍ଦ ହୋଇଯିବ ଓ ୨୦ ମିନିଟ୍‌ ଉତ୍କଣ୍ଠାର ଅବସାନ ଘଟିବ।

 

 

Share