କୋରାପୁଟ,୧୭।୧୧(ସ୍ବ.ପ୍ର.): କୋରାପୁଟ ଜିଲା ଦାମନଯୋଡ଼ି ରାସ୍ତାରେ ଏକ ନକଲି ଗୁଟଖା କାରଖାନା ଠାବ ହୋଇଛି। କାରଖାନା ପରିସରରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ନକଲି ଗୁଟଖା ଜବତ ହୋଇଛି। ପୋଲିସ କାରଖାନାରେ ଥିବା ୧୧ଟି ମେଶିନକୁ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ବି. ରମେଶ। ତାଙ୍କର ଘର ତେଲେଙ୍ଗାନାରେ ହୋଇଥିବା ଜଣାଯାଇଛି। ବି. ରମେଶଙ୍କ ନାଁରେ ସେମିଳିଗୁଡ଼ା ଥାନାରେ ମାମଲା ରୁଜୁ କରାଯାଇଛି।
ସୂଚନାଯୋଗ୍ୟ, ଦାମନଯୋଡ଼ି ରାସ୍ତାରେ ଏକ ନକଲି ଗୁଟଖା କାରଖାନା ଚାଲିଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି ରାତିରେ ଏସ୍ଡିପିଓ ମନୋଜ କୁମାର ବେହେରାଙ୍କ ନେତୃତ୍ୱରେ ଗୁଟଖା କାରଖାନା ଉପରେ ସେମିଳିଗୁଡ଼ା ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୧୧ ବଣ୍ଡଲରୁ ଊର୍ଦ୍ଧ୍ୱ ଗୁଟଖା, କେମିକାଲ, ପଲିଥିନ, ଚୁନ ଓ ନକଲି ଜର୍ଦ୍ଦା ଜବତ କରାଯାଇଥିଲା।