ନକଲି ପାନମସଲା କାରଖାନା ଠାବ: ମାଲିକ ଗିରଫ

କଟକ ସଦର, ୧୬।୧(ଡି.ଏନ୍‌.ଏ.): କଟକ ଜିଲା ସଦର ଥାନା ଅଧୀନ ଆମଣ ପଞ୍ଚାୟତର ଶାସୋଳ ଗ୍ରାମରେ ଶୁକ୍ରବାର ପୋଲିସ ଚଢାଉ କରି ନକଲି ପାନମସଲା କାରଖାନା ଠାବ କରିଛି। ସେଠାରୁ ୧୨ କୁଇଣ୍ଟାଲ ନିମ୍ନମାନର ଗୁଣ୍ଡି, ଜର୍ଦ୍ଦା ପ୍ରସ୍ତୁତି ସାମଗ୍ରୀ, ୨ କୁଇଣ୍ଟାଲ ରାସାୟନିକ ଦ୍ରବ୍ୟ, ନାମୀଦାମୀ କମ୍ପାନୀର ଗୁଣ୍ଡି ଓ ଜର୍ଦ୍ଦା ଡବା ଓ ଗୁଡାଖୁ ଜବତ କରାଯାଇଛି। ଏହି ଘଟଣାରେ କାରଖାନା ମାଲିକ ଦୁର୍ଗାଚରଣ ଦଳେଇଙ୍କୁ ଗିରଫ କରାଯାଇଛି। ଏ ନେଇ ଥାନାରେ ମାମଲା(ନଂ.୩୫/୨୧) ରୁଜୁ ହୋଇଛି। ୨୦୦୭ରୁ ଉକ୍ତ କାରଖାନାରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରାଯାଇ ଜଗତ୍‌ସିଂହପୁର, ଭଦ୍ରକ ସମେତ ସ୍ଥାନୀୟ ହାଟ ଓ ବଜାରରେ ବିକ୍ରି ହେଉଥିଲା ବୋଲି ପୋଲିସ ସୂତ୍ରରୁ ଜଣାପଡିଛି। ଏହି ଚଢାଉରେ କଟକ ସଦର ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା, ଅନୀତା ସାହୁ ଓ ଖାଦ୍ୟ ନିରାପତ୍ତା ଅଧିକାରୀ ରାକେଶ ମହାନ୍ତି ସାମିଲ ହୋଇଥିଲେ।
ସୂଚନାଯୋଗ୍ୟ, ପୂର୍ବରୁ କଟକ ସଦର ଥାନା ଅଞ୍ଚଳରେ ନକଲି ଘିଅ ଓ ଚା’ପତି କାରଖାନା ଉପରେ ପୋଲିସ ଚଢାଉ କରି ବିପୁଳ ପରିମାଣର ସାମଗ୍ରୀ ଜବତ କରିଥିଲା। ସେହିପରି ପୂର୍ବରୁ କଟକ ସହରର ନକଲି ମସଲା, ଘିଅ, ସିମେଣ୍ଟ କାରଖାନାରେ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହ ମେଶିନ ଜବତ ହୋଇଥିଲା। ଏଥିସହ ସହରରୁ ଅପମିଶ୍ରିତ ପନିର୍‌ ମଧ୍ୟ ଜବତ କରାଯାଇଥିଲା।