ଧରାପଡ଼ିଲେ ନକଲି ମଦ ମାଫିଆ

ଅନୁଗୋଳ ଅଫିସ,୨୫।୨ ୨୦ ଦିନର ଛକାପଞ୍ଝା ପରେ ଅନୁଗୋଳ ଜିଲା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। କୋର୍ଟରେ ଆତ୍ମସମର୍ପଣ ପୂର୍ବରୁ ଅବକାରୀ କର୍ମଚାରୀଙ୍କ ହାତରେ ଧରାପଡ଼ିଛନ୍ତି ନକଲି ମଦ ମାଫିଆ ଜୟପ୍ରକାଶ ଗୁପ୍ତା। ଗିରଫ ପରେ ଅଧିକ ପଚରାଉଚରା ପାଇଁ ତାଙ୍କୁ କଟକ ନିଆଯାଇଥିବା ସୂଚନା ମିଳିଛି।
ପ୍ରକାଶ ଯେ, ଅନୁଗୋଳ ସହର ରାଣୀଗୋଡ଼ାସ୍ଥିତ ନାୟକ ସାହିରେ ଏକ ଭଡ଼ାଘରେ ରହୁଥିବା ଜୟପ୍ରକାଶ ନକଲି ମଦ ବ୍ୟବସାୟ କରୁଥିଲେ। ମଦ ବୋତଲ ସହ ଠିପି, ଲେବୁଲ ଆଦି କୋଲକାତାରୁ ଆଣି ବିଭିନ୍ନ ଗୁପ୍ତ ଆଡ୍ଡାକୁ ଚାଲାଣ କରୁଥିଲେ। ଖବରପାଇ ଗତ ୫ ତାରିଖରେ ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ୍‌ ଉକ୍ତ ଭଡ଼ାଘରେ ଚଢ଼ାଉ କରି ବିପୁଳ ପରିମାଣର ବୋତଲ, ଠିପି ଆଦି ଜବତ କରିଥିଲା। ହେଲେ ଚଢ଼ାଉ ପୂର୍ବରୁ ଜୟପ୍ରକାଶ ପରିବାର ଲୋକଙ୍କୁ ନେଇ ଫେରାର ହୋଇଯାଇଥିଲେ। ସେବେଠାରୁ ଅବକାରୀ କର୍ମଚାରୀମାନେ ତାଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଥିଲେ। କିଛିଦିନ ତଳେ ଜୟପ୍ରକାଶ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ସମ୍ପର୍କରେ ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ତେଣୁ ଅନୁଗୋଳ ଅବକାରୀ ବିଭାଗ ଏବଂ କଟକ ଫ୍ଲାଇଙ୍ଗ ସ୍କ୍ବାଡ୍‌ର ଅଧିକାରୀମାନେ ତାଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଗତ ୨୩ ତାରିଖରେ ହାଇକୋର୍ଟରେ ଜାମିନ ଆବେଦନର ଶୁଣାଣି ଥିଲେ ହେଁ ନମ୍ବର ପଡ଼ିପାରି ନ ଥିଲା। ଏଣେ ଜୟପ୍ରକାଶଙ୍କ ପୈତୃକ ଘର ବିହାରରେ ଚଢ଼ାଉ କରାଯାଇ ତାଙ୍କ ମା’ ବାପାଙ୍କୁ ଅବକାରୀ ଅଧିକାରୀମାନେ ଥାନାକୁ ଉଠାଇ ଆଣି ଜୟପ୍ରକାଶଙ୍କ ଉପରେ ଚାପ ପକାଇଥିଲେ। ଫଳରେ ଜୟପ୍ରକାଶ ବଅଁରପାଳ ଜେଏମ୍‌ଏଫ୍‌ସି କୋର୍ଟରେ ଗୁରୁବାର ଆତ୍ମସମର୍ପଣ କରିବାକୁ ସ୍ଥିର କରିଥିଲେ। ଅପରାହ୍ନ ପ୍ରାୟ ୩ଟା ବେଳେ ଜୟପ୍ରକାଶ ଓକିଲଙ୍କ ସହ କୋର୍ଟ ଭିତରକୁ ପ୍ରବେଶ କରିବା ପୂର୍ବରୁ ସାଦା ପୋଷାକରେ ଅପେକ୍ଷା କରିଥିବା ପ୍ରାୟ ୩୦ ଜଣ କର୍ମଚାରୀ ତାଙ୍କୁ କାବୁ କରି ନେଇଥିଲେ। ଅନୁଗୋଳ ବରିଷ୍ଠ ଅଧିକାରୀମାନେ ଜୟପ୍ରକାଶଙ୍କୁ ଜେରା ପାଇଁ କଟକ ନେଇଯାଇଛନ୍ତି। ସେଠାରେ ଜେରା ସମ୍ପୂର୍ଣ୍ଣ ହେବାପରେ କୋର୍ଟ ଚାଲାଣ କରାଯିବ ବୋଲି କୁହାଯାଉଛି।

Share