Advertisement

ଓଡ଼ିଶାରେ ନକଲି ଡାକ୍ତରୀ ସାର୍ଟିଫିକେଟ ର଼୍ୟାକେଟ

ଭୁବନେଶ୍ୱର,୨୮।୭ (ବ୍ୟୁରୋ): ଓଡ଼ିଶା କାଉନ୍‌ସିଲ୍‌ ଫର୍‌ ମେଡିକାଲ ରେଜିଷ୍ଟ୍ରଶନ (ଓସିଏମ୍‌ଆର୍‌) ନାଁରେ ଜାଲ୍‌ ଓ୍ବେବ୍‌ସାଇଟ୍‌ ଖୋଲି ଦିଆଯାଉଛି ନକଲି ଡାକ୍ତରୀ ସାର୍ଟିଫିକେଟ। ଉକ୍ତ ସାର୍ଟିଫିକେଟରେ ଏକାଧିକ ଡାକ୍ତର ବାହାର ରାଜ୍ୟକୁ ଯାଇ ଚାକିରି କରିଥିବାବେଳେ ଅନେକେ ଏହି ର଼୍ୟାକେଟରେ ଫସି ଠକେଇର ଶିକାର ହୋଇଛନ୍ତି। ଏ ସଂକ୍ରାନ୍ତରେ ଉତ୍ତରାଖଣ୍ଡ ସ୍ବାସ୍ଥ୍ୟ ବିଭାଗ ଓଡ଼ିଶା ସରକାରଙ୍କ ଅବଗତ କରିଥିବାବେଳେ ଠକେଇର ଶିକାର କେତେଜଣ ଡାକ୍ତର ଓସିଏମ୍‌ଆର୍‌କୁ ଜଣାଇବା ପରେ ଚେତା ପଶିଛି। ଓସିଏମ୍‌ଆର୍‌ ରେଜିଷ୍ଟ୍ରାର କମଳାକାନ୍ତ ଦାଶ ଏନେଇ କ୍ରାଇମବ୍ରାଞ୍ଚ ନିକଟରେ ଅଭିଯୋଗ କରିବା ପରେ ଖୋଳତାଡ଼ ଆରମ୍ଭ ହୋଇଛି। କ୍ରାଇମ୍‌ବ୍ରାଞ୍ଚ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଅଭିଯୋଗର ୪ଦିନ ପରେ ବି ଉକ୍ତ ଜାଲ୍‌ ଓ୍ବେବ୍‌ସାଇଟ୍‌କୁ ବ୍ଲକ୍‌ କରାଯାଇନାହିଁ।
ସୂଚନା ଅନୁଯାୟୀ, ୟୁନିଟ-୫ ନ’ ତାଲା ନିକଟରେ ଓସିଏମ୍‌ଆର ଅଫିସ ରହିଛି। ବିଭିନ୍ନ ମେଡିକାଲ କଲେଜରୁ ଡାକ୍ତରୀ ପାସ୍‌ କରି ଆସୁଥିବା ଛାତ୍ରୀଛାତ୍ର ପ୍ରାକ୍ଟିସ୍‌ କିମ୍ବା ଘରୋଇ ମେଡିକାଲରେ ଡାକ୍ତରୀ କାର୍ଯ୍ୟ କରିବା ପାଇଁ ଏଠାରୁ ରେଜିଷ୍ଟ୍ରେଶନ ସାର୍ଟିଫିକେଟ ନେବା ବାଧ୍ୟତାମୂଳକ। ସାର୍ଟିଫିକେଟ ପାଇବା ପାଇଁ ଓସିଏମ୍‌ଆର ପକ୍ଷରୁ ବିଭିନ୍ନ ବିଭାଗର ଡାକ୍ତରଙ୍କ ପାଇଁ ପୃଥକ ଫି’ ଧାର୍ଯ୍ୟ କରାଯାଇଛି। ସାଇବର ଠକମାନେ ଓସିଏମ୍‌ଆରର ଏକ ନକଲି ଓ୍ବେବ୍‌ସାଇଟ୍‌ ଖୋଲି ଅନ୍‌ଲାଇନ୍‌ରେ ସାର୍ଟିଫିକେଟ ଦେବାସହ ଟଙ୍କା ନେଉଛନ୍ତି। ଉକ୍ତ ଓ୍ବେବ୍‌ ସାଇଟ୍‌ରେ ଓସିଏମ୍‌ଆରର ଅଫିସ ଠିକଣା ନନ୍ଦନକାନନ ରୋଡ଼-୧୭ ଦିଆଯାଇଛି। ଅନେକ ଡାକ୍ତରୀ ଛାତ୍ର ଓ ଡାକ୍ତର ଜାଣି ନ ପାରି ଉକ୍ତ ନକଲି ଓ୍ବେବ୍‌ସାଇଟ୍‌ରେ ଆବେଦନ କରି ଠକେଇର ଶିକାର ହେଉଛନ୍ତି। ସମୟ ନ ଥିବାରୁ ଓ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ଡାକ୍ତରମାନେ ରହୁଥିବାରୁ ଏହାର ସୁଯୋଗ ନେଇ ସାଇବର ଠକମାନେ ସେମାନଙ୍କଠାରୁ ମନଇଚ୍ଛା ଟଙ୍କା ଲୁଟୁଛନ୍ତି। ପରେ ଡାକ୍ତରଙ୍କ ମେଲ୍‌ ଆଇଡ଼ିରେ ନକଲି ସାର୍ଟିଫିକେଟ ଦେଉଛନ୍ତି। ଅଧିକାଂଶ ଡାକ୍ତର ଉକ୍ତ ସାର୍ଟିଫିକେଟ ନେଇ ବାହାର ରାଜ୍ୟରେ ଘରୋଇ ଓ ସରକାରୀ ହସ୍ପିଟାଲରେ ଚାକିରି ମଧ୍ୟ କରିଛନ୍ତି। ଉତ୍ତରାଖଣ୍ଡ ସ୍ବାସ୍ଥ୍ୟ ବିଭାଗ ଏଭଳି ଏକ ନକଲି ସାର୍ଟିଫିକେଟକୁ ଧରିବା ପରେ ଓସିଏମ୍‌ଆର୍‌କୁ ଚିଠି ଲେଖି ଜଣାଇଛି। ଏହାସହ ଏମ୍‌ସର ଡାକ୍ତର ଶ୍ରୀତୋଷ ଏ ସମ୍ପର୍କରେ ଓସିଏମ୍‌ଆର୍‌କୁ ଜଣାଇଛନ୍ତି। ଉକ୍ତ ଓ୍ବେବ୍‌ସାଇଟ ଦ୍ୱାରା କେତେଜଣ ଡାକ୍ତର ଠକେଇର ଶିକାର ହୋଇଛନ୍ତି, ସେନେଇ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼ କରୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share