ଡାର୍କ ଓ୍ବେବ୍‌ରେ ନକଲି ଟିକା

ନୂଆଦିଲ୍ଲୀ, ୧୫ା୧୨: କୋଭିଡ୍‌-୧୯ ମହାମାରୀରୁ ବର୍ତ୍ତିବା ପାଇଁ ଟିକା ଏକମାତ୍ର ଆଶା ହୋଇଥିବାବେଳେ ଏହାର ଫାଇଦା ଉଠାଉଛନ୍ତି ସାଇବର ଅପରାଧୀ। କୌଣସି ବିଶ୍ୱସ୍ତ ସର୍ଚ୍ଚ ଇଞ୍ଜିନ ଦ୍ୱାରା ଅନୁମୋଦିତ ହୋଇ ନ ଥିବା ସାଇଟ୍‌ ତଥା ଡାର୍କ ଓ୍ବେବରେ ଲୋକଙ୍କୁ ନିଜ ଜାଲରେ ଫସାଇବାକୁ ନକଲି ଟିକା ଓ ଔଷଧ ବିକ୍ରି ପାଇଁ ଉଦ୍ୟମ ଚାଲିଛି। ବ୍ରିଟେନ, କାନାଡା, ଆମେରିକାରେ ଫାଇଜର ଟିକାକୁ ଅନୁମତି ମିଳିସାରି ଥିବାରୁ ବିଭିନ୍ନ ଓ୍ବେବସାଇଟ୍‌ରେ ଏହା ଉପଲବ୍ଧ ହେଉଥିବା ନେଇ ଲୋକଙ୍କୁ ଲୋଭାନ୍ବିତ କରାଯାଉଛି ବୋଲି ସାଇବର ସିକ୍ୟୁରିଟି ସଫ୍ଟଓ୍ବେର କମ୍ପାନୀ ଚେକ୍‌ ପଏଣ୍ଟର ରିସର୍ଚ୍ଚରମାନେ ପ୍ରକାଶ କରିଛନ୍ତି।
ପଏଣ୍ଟ ରିସର୍ଚ୍ଚରଙ୍କ କହିବା ମୁତାବକ, କୋଭିଡ୍‌ ଭାକ୍ସିନ୍‌ ଓ ଔଷଧ ବିକ୍ରି ପାଇଁ ଡାର୍କନେଟ୍‌ରେ ଅନେକ ବିଜ୍ଞାପନ ଆସୁଥିବା ଦେଖିବାକୁ ମିଳିଛି। ଟ୍ରେସ ହେବାରୁ ବଞ୍ଚିବା ପାଇଁ ବିକ୍ରେତା ବିଟ୍‌କଏନରେ ପେମେଣ୍ଟ ପାଇଁ ଅପଶନ୍‌ ରଖୁଛନ୍ତି। ତଦନ୍ତ ପାଇଁ ଜଣେ ବିକ୍ରେତାଙ୍କ ସହ ଯୋଗାଯୋଗ ପରେ ସେ ଏକ ଅଜଣା କୋଭିଡ୍‌ ଟିକାକୁ ୦.୦୧ ବିଟ୍‌କଏନ ବା ପ୍ରାୟ ୩ ଶହ ଡଲାରରେ ବିକ୍ରି କରୁଥିବା ଜଣାପଡିଛି। ଏପରିକି ସେହି ଟିକାର ୧୪ଟି ଡୋଜ ନେବା ଜରୁରୀ ବୋଲି ବିକ୍ରେତା ଜଣକ କହିଥିଲେ। ତଦନ୍ତରୁ ଆହୁରି ଜଣାପଡିଛି ଯେ, ନଭେମ୍ବରରୁ ବିଭିନ୍ନ ଦେଶରେ ପ୍ରସ୍ତୁତ ଟିକା ଉପଲବ୍ଧ ହେଉଥିବା ଖବର ସାମ୍‌ନାକୁ ଆସୁଥିବାରୁ ଲୋକଙ୍କୁ ଭୁଆଁ ବୁଲାଇବାକୁ କେବେ ଶୁଣିବାକୁ ମିଳି ନ ଥିବା ଟିକାର ନାଁ ମଧ୍ୟ ପଞ୍ଜୀକରଣ ହୋଇଥିବା ନେଇ ସାଇଟ୍‌ଗୁଡିକରେ ଦେଖିବାକୁ ମିଳିଛି।

Share