ବ୍ରଜରାଜନଗରରେ ଆରମ୍ଭ ହେଲା ଗଣତି

ଝାରସୁଗୁଡ଼ା ଅଫିସ,୩ା୬: ଝାରସୁଗୁଡ଼ା ବଢ଼େଇମୁଣ୍ଡାସ୍ଥିତ ଇଞ୍ଜିନିୟରିଂ ସ୍କୁଲ ପରିସରରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ନିମନ୍ତେ ଭୋଟ ଗଣନା ଶୁକ୍ରବାର ସକାଳ ୮ଟାରେ ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ ବାଲଟ ପେପର ଗଣତି ଆରମ୍ଭ ହୋଇଛି। ପରେ ଇଭିଏମ୍‌ ଗଣତି ଆରମ୍ଭ ହେବ। ମୋଟ୍‌ ୧୪ଟି ଟେବୁଲ ରହିଛି। ଏଥିରେ ୨୦ ରାଉଣ୍ଡ ଭୋଟ୍‌ ଗଣତି ହେବ ବୋଲି ଜଣାପଡ଼ିଛି। ପୋଷ୍ଟାଲ ବାଲଟ ପେପରର ୩୦ ମିନିଟ୍‌ ପରେ ଅର୍ଥାତ ୮ଟା ୩୦ରେ ଇଭିଏମ୍‌ ଭୋଟଗଣତି ହେବ। ଗୋଟିଏ ବୁଥ୍‌ର ଭିଭିପିଏଟି ସ୍ଲିପ୍‌ଗୁଡ଼ିକୁ ଗଣାଯିବ। ଭୋଟଗଣତି କାର୍ଯ୍ୟ ନିମନ୍ତେ ୨୦ ମାଇକ୍ରୋ ଅବଜରଭର, ୨୦ କାଉଣ୍ଟିଂ ସୁପରଭାଇଜର, ୨୦ କାଉଣ୍ଟିଂ ଆସିଷ୍ଟାଣ୍ଟଙ୍କୁ ନିୟୋଜିତ କରାଯାଇଛି। ଏହାଛଡ଼ା ବିଭିନ୍ନ ରାଜନୈତିକ ଦଳ ତରଫରୁ ଭୋଟଗଣତି କାର୍ଯ୍ୟ ନିରୀକ୍ଷଣ କରିବା ପାଇଁ ୬୩ କାଉଣ୍ଟିଂ ଏଜେଣ୍ଟ ଆବେଦନ କରିଛନ୍ତି। ଭୋଟ ଗଣନା କାର୍ଯ୍ୟକୁ ଜନସାଧାରଣ htts//results.ecoigov.inରେ ଦେଖି ପାରିବେ। ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମତଗଣନା କେନ୍ଦ୍ର ନିକଟରେ ମିଡିଆ ସେଣ୍ଟର ଖୋଲାଯାଇଛି। ଗଣନା କେନ୍ଦ୍ର ମଧ୍ୟକୁ ଗଣମାଧ୍ୟମ ପ୍ରତିନିଧିତ୍ମାନେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କିମ୍ବା ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହାୟତାରେ ୨-୩ ଜଣ ଲେଖାଏ ପ୍ରବେଶ କରି ଖବର ସଂଗ୍ରହ କରିବାର ବ୍ୟବସ୍ଥା କରାଯାଇଛି ବୋଲି ଲୋହାନୀ ସୂଚନା ଦେଇଛନ୍ତି। ନିର୍ବାଚନରେ ମୋଟ ୨,୧୫,୮୭୮ ଭୋଟର ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି।

Share