Categories: ଜାତୀୟ

କରୋନା ଅଗ୍ନିପରୀକ୍ଷାରେ ଦେଶ ସଫଳ ହୋଇଛି: ମୋଦି

ନୂଆଦିଲ୍ଲୀ,୨୩।୨: କରୋନା ମହାମାରୀ ବିରୋଧରେ ଲଢ଼େଇରେ ଦେଶକୁ ସଫଳତା ମିଳିଛି। ଏହା ଏକ ଅଗ୍ନି ପରୀକ୍ଷା ସଦୃଶ ଥିଲା। ତେବେ ଭାରତ ଯୋଜନାବଦ୍ଧ ଭାବେ ବିପଦରୁ ମୁକୁଳି ପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କହିଛନ୍ତି। ଆୟୋଜିତ ଏକ ହେଲଥ୍‌ ଓ୍ବେବନରରେ ପ୍ରଧାନମନ୍ତ୍ରୀ ଚଳିତ ବଜେଟରେ ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ଆବଣ୍ଟିତ ହୋଇଥିବା ଅର୍ଥ ବେଶ୍‌ ଉତ୍ସାହ ଜନକ। ଏହାଦ୍ୱାରା ପ୍ରତି ଦେଶବାସୀଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟ ସୁବିଧା ମିଳିପାରିବ। ସ୍ବାସ୍ଥ୍ୟ କ୍ଷେତ୍ରର ବିକାଶ ପାଇଁ ଭାରତ ୪ଟିସ୍ତରରେ କାର୍ଯ୍ୟ ଜାରି ରଖିଛି। ପ୍ରଥମସ୍ତରରେ ସ୍ବାସ୍ଥ୍ୟଗତ ସମସ୍ୟାକୁ ରୋକିବା କାର୍ଯ୍ୟ ସମ୍ପନ୍ନ ହେଉଛି। ସେହିପରି ଦ୍ୱିତୀୟସ୍ତରରେ ଗରିବଙ୍କୁ ଶସ୍ତା ଏବଂ ପ୍ରଭାବଶାଳୀ ଚିକିତ୍ସା ସୁଯୋଗ ଯୋଗାଇ ଦିଆଯାଉଛି। ତୃତୀୟସ୍ତରରେ ସ୍ବାସ୍ଥ୍ୟ ସେବା ସେକ୍ଟର ଏବଂ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟ କରୁଥିବା ପେଶାଦାରଙ୍କ ସଂଖ୍ୟା ଏବଂ ଗୁରବର୍ତ୍ତାଯୁକ୍ତ ଚିକତ୍ସା ଉପଲବ୍ଧ କରାଯିବାର ବ୍ୟବସ୍ଥା କରାଯାଉଛି। ସେହିପରି ଚତୁର୍ଥସ୍ତରରେ ଦେଶରେ ସ୍ବାସ୍ଥ୍ୟ ସେବାର ସମ୍ପ୍ରସାରଣ ଇନ୍ଦ୍ରଧନୁଷ ଭଳି ଯୋଜନା ମାଧ୍ୟମରେ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୨୦୨୫ ସୁଦ୍ଧା ଦେଶରୁ ଟିବି ସମସ୍ୟାର ଲୋପ ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଉଛି। ସ୍ବାସ୍ଥ୍ୟ ସେବାର ଗୁରୁତ୍ୱକୁ ଉପଲବ୍ଧି କରି ସରକାରଙ୍କ ପକ୍ଷରୁ ଚଳିତ ବଜେଟରେ ଏଥିପାଇଁ ପୂର୍ବ ବଜେଟ ତୁଳନାରେ ୧୩୭ ପ୍ରତିଶତ ଅଧିକ ଅର୍ଥ ଆବଣ୍ଟିତ କରାଯାଇଛି। ଗତ ବଜେଟରେ ଏହା ୯୪,୪୫୨ କୋଟି ଥିବାବେଳେ ଚଳିତ ୨୦୨୧-୨୨ ବଜେଟରେ ଏହା ୨,୨୩,୮୪୬ କୋଟି ଟଙ୍କା ରହିଛି ବୋଲି ସେ କହିଛନ୍ତି।

Share