ନୂଆଦିଲ୍ଲୀ,୩।୧୨: ସମ୍ପ୍ରତି ଦେଶ ଏକା ସମୟରେ ୨ଟି ଲଢ଼େଇ ଲଢୁଛି। ଦେଶ ଭିତରେ ଗୋଟିଏ ଲଢ଼େଇ କରୋନା ମହାମାରୀ ବିରୋଧରେ ଜାରି ରହିଛି। ସେହିପରି ଭାରତ ଚାଇନା ସୀମା(ଏଲ୍ଏସି)ରେ ମଧ୍ୟ ଲଢ଼େଇ ଭଳି ସ୍ଥିତି ସୃଷ୍ଟି ହୋଇଛି। ଏଠାରେ ଚାଇନା ଜାଣିଶୁଣି ଏଲ୍ଏସିରେ ପରିବର୍ତ୍ତନ ଆଣିବାର ଉଦ୍ୟମ କରୁଛି ବୋଲି ଗୁରୁବାର ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ ସୂଚନା ଦେଇଛନ୍ତି। ଡିସେମ୍ବର ୪ ନୌସେନା ଦିବସ ପାଳନ ପୂର୍ବରୁ ଆୟୋଜିତ ଏକ ଗଣମାଧ୍ୟମ ସମ୍ମିଳନୀରେ କରମବୀର ଏଭଳି କହିଛନ୍ତି। ତେବେ ନୌସେନା ଏକାଦିକ୍ରମେ ଉଭୟ ଲଢ଼େଇ ଲଢିବା ପାଇଁ ପ୍ରସ୍ତୁତ। ସାମୁଦ୍ରିକ ସୀମାର ସୁରକ୍ଷା ଲାଗି ନୌସେନା ସବୁବେଳେ ସଜାଗ। ତଟୀୟ କ୍ଷେତ୍ରରେ ପାଟ୍ରୋଲିଂ ବଢ଼ାଯିବ ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିତ୍ବା ସେ କହିଛନ୍ତି। ଭାରତ ମହାସାଗର ଅଞ୍ଚଳରେ ଚାଇନାର ୩ଟି ଯୁଦ୍ଧପୋତ ପଇଁତରା ମାରୁଥିବା ଆମେ ଜାଣିଛୁ। ଏଠାରେ ୨୦୦୮ଠାରୁ ଚାଇନା ଏଭଳି କାର୍ଯ୍ୟ ଜାରି ରଖିଛି। ଆବଶ୍ୟକ ସ୍ଥଳେ ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ନୌସେନା ପ୍ରସ୍ତୁତ ଥିବା କରମବୀର କହିଛନ୍ତି। ବାୟୁସେନା ସହିତ ମିଳିତ ଭାବେ ସାମୁଦ୍ରିକ ସୀମା ସୁରକ୍ଷା କାର୍ଯ୍ୟ ଅବ୍ୟାହତ ରହିଥିବା ସେ କହିଛନ୍ତି।