Categories: ଜାତୀୟ

ତ୍ରିରଙ୍ଗାର ଅପମାନ ନେଇ ଦେଶ ହୋଇଛି ଦୁଃଖୀ: ମୋଦି

ନୂଆଦିଲ୍ଲୀ, ୩୧।୧: ଜାନୁୟାରୀ ୨୬ରେ ଭାରତର ଜାତୀୟ ପତାକା ତ୍ରିରଙ୍ଗାର ଅପମାନ ନେଇ ଦେଶ ଦୁଃଖୀ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଛନ୍ତିି। ଅଲ୍‌ ଇଣ୍ଡିଆ ରେଡ଼ିଓର ୭୩ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ସେ ଏଭଳି କହି ଦୁଃଖ ପ୍ରକାଶ କରିଛନ୍ତି। ଦେଶର ଜନତାଙ୍କ ମନରେ ଏନେଇ ଆଘାତ ସୃଷ୍ଟି ହୋଇଥିବା ସେ କହିଛନ୍ତି। ଏହି ଅବସରରେ ମୋଦି ଭାରତୀୟ କ୍ରିକେଟ ଦଳର ଅଷ୍ଟ୍ରେଲିଆ ସିରିଜ୍‌ ବିଜୟ ନେଇ ନିଜର ମନ୍ତବ୍ୟ ରଖିଛନ୍ତି। ଭାରତୀୟ ଦଳ କଠିନ ପରିଶ୍ରମ କରି ଶେଷରେ ଦଳଗତ ଭାବେ ଭଲ ପ୍ରଦର୍ଶନ କରିଥିବା ସେ କହିଛନ୍ତି। ସେହିପରି ଚଳିତ ବର୍ଷ ପଦ୍ମ ପୁରସ୍କାର ସମ୍ମାନରେ ଦେଶର ବହୁ ଅଜଣା ବ୍ୟକ୍ତି ବିଶେଷ ନିଜର ଉଲ୍ଲେଖନୀୟ କାର୍ଯ୍ୟ ମାଧ୍ୟମରେ ଲୋକଲୋଚନକୁ ଆସିପାରିଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି। ସେମାନେ ନିଜ ନିଜର କାର୍ଯ୍ୟଦ୍ୱାରା ବହୁ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସହିତ ଦେଶର ବିକାଶ ପଥକୁ ସୁଗମ କରି ପାରିଛନ୍ତି। ମାନବତା ପ୍ରତି ସେମାନଙ୍କର ଯୋଗଦାନ ନେଇ ଦେଶ ପକ୍ଷରୁ ସେମାନଙ୍କୁ ସମ୍ମାନୀତ କରାଯାଇଛି ବୋଲି ସେ କହିଛନ୍ତି। କରୋନା ମହାମାରୀ ବିରୋଧରେ ଲଢ଼େଇରେ ଭାରତ ପୃଥିବୀରେ ଏକ ଉଦାହରଣ ସୃଷ୍ଟି କରିଛି। ଭାରତରେ ସର୍ବବୃହତ୍‌ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ମାତ୍ର ୧୫ ଦିନରେ ୩୦ ଲକ୍ଷରୁ ଅଧିକ କରୋନା ଯୋଦ୍ଧାଙ୍କୁ ଟିକାଦାନ କରାଯାଇଛି। ଆମେରିକାରେ ଏଥିପାଇଁ ୧୮ ଦିନ ଏବଂ ବ୍ରିଟେନରେ ୩୬ ଦିନ ସମୟ ଲାଗିଥିବାବେଳେ ଭାରତରେ ଟିକାକରଣ ଅଭିଯାନ ଅଧିକ ବେଗରେ ଜାରି ରହିଛି। ମେଡ୍‌ ଇନ୍‌ ଇଣ୍ଡିଆ ଟିକା ପ୍ରସ୍ତୁତି ଦ୍ୱାରା ଆତ୍ମନିର୍ଭର ଭାରତ ଗୌରବ ବୃଦ୍ଧି ପାଇଥିବା ସେ କହିଛନ୍ତି।

Share